ଉପନିବେଶ

 

 

 

 

 

 

 

 

 

 

ଉପନିବେଶ

ମନୋଜ ଦାସ

 

କବିର ମନ୍ତବ୍ୟ

 

‘ଉପନିବେଶ’ ଦୁଇ ଦୁଇଥର ପ୍ରକାଶ ପାଇଁ ମୁଦ୍ରାଳୟକୁ ଯାଇଛି—ବେଶ୍‌ କିଛି କିଛି ବର୍ଷର ବ୍ୟବଧାନରେ । ପ୍ରଥମଥର ଯେଉଁ ସୁପ୍ରତିଷ୍ଠିତ ପ୍ରକାଶକ ଏହାର ଦାୟିତ୍ୱ ଗ୍ରହଣ କରିଥିଲେ, ତାଙ୍କ ନିଜର ସଂଗଠନଗତ ବିଭ୍ରାଟ ଯୋଗୁଁ ଦିନେ ଅଭିମାନ କରି ମୁଁ ପାଣ୍ଡୁଲିପିଟି ଫେରାଇ ଆଣିଥିଲି । ଦ୍ୱିତୀୟଥର, ଆଉଜଣେ ପ୍ରକାଶକ ବହିଟିର ମୁଦ୍ରଣକାର୍ଯ୍ୟ ପ୍ରାୟ ଶେଷକରି ଆଣିଥିଲେ-। ମୋ ନିଜର ଅକ୍ଷମଣୀୟ ହେଳାରେ (ଏଥର ଅଭିମାନର ପାଳି ମୋର ସେହି ବନ୍ଧୁ ପ୍ରକାଶକଙ୍କର) ମୁଦ୍ରଣ ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ । ବର୍ଷ କେତୋଟି ବିତିଯିବା ଉତ୍ତାରୁ, ଏକଦା ରିପ୍‌ଭ୍ୟାନ୍‌ଉଇଙ୍କ୍‌ଲ୍‌ ଭଳି ସଚେତନ ହୋଇଉଠି ଯେତେବେଳେ ମୁଦ୍ରାଳୟକୁ ଲୋକ ପଠାଇଲି, ସେତେବେଳକୁ ଏଣ୍ଟିକ୍‌ କାଗଜର ସୁଦୃଶ୍ୟ ଫର୍ମାଗୁଡ଼ିକର ଅବସ୍ଥା ଶୋଚନୀୟ ।

 

ଗ୍ଳାନିବୋଧ ଯୋଗୁଁ ଆଉ ‘ଉପନିବେଶ’ ପ୍ରକାଶ କଥା ଚିନ୍ତାହିଁ କରୁନଥିଲି । ଶ୍ରଦ୍ଧେୟ ବନ୍ଧୁ ଶ୍ରୀ ଜଗନ୍ନାଥ ରଥଙ୍କର କ୍ରମାଗତ ଦୃଢ଼ ଚେତାବନୀ ଅବଶେଷରେ ସମ୍ପାଦିତ ସଙ୍କଳନଟିର ପାଣ୍ଡୁଲିପି ତାଙ୍କୁ ଅର୍ପଣ କରିବାକୁ ମୋତେ ସାମର୍ଥ୍ୟ ଦେଇଛି ।

 

ଅନୁସନ୍ଧିତ୍ସା ଓ ଅନ୍ୱେଷଣର ଏକ ନିର୍ଦ୍ଦିଷ୍ଟ ଅବସ୍ଥା ଭିତରେ ଉପନିବେଶ (ପ୍ରଥମ ବିଭାଗ)ର କବିତାଗୁଡ଼ିକ ରଚିତ, ମୁଖ୍ୟତଃ ୧୯୫୩ ରୁ ୧୯୫୯ ଭିତରେ । ବହିଟିରେ ଆଉ ଦୁଇଟି ବିଭାଗ ମଧ୍ୟ ସଂଯୁକ୍ତ କରିଛି; ‘ପ୍ରାକ୍‌-ଉପନିବେଶ’ ଓ ‘ଉତ୍ତର-ଉପନିବେଶ’ । ‘ପ୍ରାକ୍‌-ଉପନିବେଶ’ର କବିତା ସବୁରୁ ଅଧିକାଂଶ ଆହୁରି ପୂର୍ବରୁ ରଚିତ; ଅଧୁନାଲୁପ୍ତ ‘ପଦଧ୍ୱନି’ କବିତା ବହିରୁ (କେତୋଟି) ଓ ପ୍ରାୟ ତତ୍‌ସମସାମୟିକ ପ୍ରକାଶନ ‘ନନ୍ଦାବତୀର ମାଝି’ ବହିରୁ (ଦୁଇ ତିନୋଟି) ଗୃହିତ ।

 

‘ଉତ୍ତର-ଉପନିବେଶ’ର କବିତା କେତୋଟି ୧୯୬୩ ଓ ପରବର୍ତ୍ତୀ ସମୟର ଲେଖା ।

 

ଜନ୍ମମାଟିଠାରୁ ଏତେ ଦୂରରେ ରହି ଆଜି ଏ ସଙ୍କଳନଟି ସକାଶେ କବିତା ସବୁ ସଂଗ୍ରହ କରିବା ମୋ ପକ୍ଷରେ ଅସମ୍ଭବ ହୋଇଥାଆନ୍ତା । ଯାହାଙ୍କ ମମତା-ପ୍ରସୂତ ଅନଳସ ସହାୟତାରେ ଏହା ସମ୍ଭବପର ହେଲା, ସେ ହେଉଛନ୍ତି ମୋର ବନ୍ଧୁ କବି ଶ୍ରୀ ବ୍ରଜନାଥ ରଥ । ତାଙ୍କ ପାଖରେ ମୁଁ ଏକାନ୍ତ କୃତଜ୍ଞ । କିମଧିକମ୍‌ ।

 

ଶ୍ରୀ ଅରବିନ୍ଦ ଆଶ୍ରମ

 

ପଣ୍ଡିଚେରୀ

ମନୋଜ ଦାସ

୨୬ । ୩ । ୬୬

 

☆☆☆

 

ପ୍ରକାଶକର ବକ୍ତବ୍ୟ

 

କବିତାରେ ନା କଥାସାହିତ୍ୟରେ, କେଉଁଥିରେ ମନୋଜବାବୁଙ୍କର ଅଧିକ ସାମର୍ଥ୍ୟ, ତାହା ଅବଶ୍ୟ ପରବର୍ତ୍ତୀ ଯୁଗର ରସଜ୍ଞ ପାଠକ ସମାଜ କହିପାରିବେ; ତେବେ ‘ଉପନିବେଶ’ ବହୁ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୃଷ୍ଟି ହୋଇ ରହିବ ବୋଲି ଆମର ବିଶ୍ୱାସ । କବିଙ୍କର ବ୍ୟକ୍ତିଗତ ଜୀବନ ସହିତ ଯେଉଁମାନଙ୍କର କିଛି କିଛି ପରିଚୟ ଅଛି, ସେମାନେ ଜାଣନ୍ତି ଯେ ତାଙ୍କ ଜୀବନ ଏକ ନିଚ୍ଛକ ଆଦର୍ଶବାଦ ବା କଳ୍ପନା ପ୍ରବଣତା ନୁହେଁ; ତେଣୁ ଏ କବିତାଗୁଡ଼ିକର ଉଜ୍ଜଳତମ ବୈଶିଷ୍ଟ୍ୟ ହେଲା ଆନ୍ତରିକତା ।

 

ଉପନିବେଶର କବିତାଗୁଡ଼ିକ ମାନବ ଚେତନାର ଚିରନ୍ତନ ସନ୍ଧାନ-ପ୍ରବୃତ୍ତିର (‘ଉପନିବେଶ’ ନାମଧେୟ କବିତାଟି ଯାହାର ମୁଖବନ୍ଧ ସଦୃଶ) ଅଭିବ୍ୟକ୍ତି । କିନ୍ତୁ ଏଗୁଡ଼ିକ କବିଙ୍କ ଜୀବନର ଏକ ପରିବର୍ତ୍ତନଶୀଳ ସମୟର ପ୍ରତିନିଧିତ୍ତ୍ୱ କରୁଛି ।

 

‘ପ୍ରାକ୍‌-ଉପନିବେଶ’ ବିଭାଗରେ ଯେଉଁ କବିତାଗୁଡ଼ିକ ସନ୍ନିବିଷ୍ଟ ହୋଇଛି, ସେଥିରେ ମଧ୍ୟ ଅନୁସନ୍ଧିତ୍ସାର ସୁର ସ୍ପଷ୍ଟ; କିନ୍ତୁ ଏକ ଆଦର୍ଶଗତ ଆସ୍ଥା ସେସବୁର ଅଧିକାଂଶକୁ ସୂକ୍ଷ୍ମ ଆଶାବାଦର ପରିଣତି ଦାନ କରିଛି ।

 

‘ଉତ୍ତର-ଉପନିବେଶ’ ବିଭାଗରେ ଏହି ଆଶାବାଦ, ତଥା ପରବର୍ତ୍ତୀ ସମୟର ଅନୁସନ୍ଧିତ୍ସା, ସବୁ ରୂପାନ୍ତରିତ ହୋଇଛି ଗଭୀର ଆତ୍ମ-ଜିଜ୍ଞାସାରେ ଓ ଆଧ୍ୟାତ୍ମିକ ଆସ୍ଥାରେ । ଏହି ଧାରାର ଉତ୍ତରୋତ୍ତର ବିକାଶ ଅନିବାର୍ଯ୍ୟ । କବିଙ୍କର ପରବର୍ତ୍ତୀ କବିତା-ଗୁଚ୍ଛରେ ଆମେ ତାହା ଦେଖିବା ସକାଶେ ଆଗ୍ରହୀ ହୋଇ ରହିଲୁଁ ।

 

ବିନୋଦବିହାରୀ

 

କଟକ-୨

ଜଗନ୍ନାଥ ରଥ

୧ । ୬ । ୧୯୬୬

ପ୍ରକାଶକ

☆☆☆

 

ସୂଚୀପତ୍ର

 

ଉପନିବେଶ

୧.

ଅରଣ୍ୟର ତୃଣ ନେଇ

୨.

ଶେଷ ବୃଷ୍ଟି

୩.

ହଳଦିଆ ଭାଲୁ

୪.

ଜହ୍ନ ଓ ନକ୍ଷତ୍ର ନେଇ ଶେଷ ଲେଖା

୫.

ବୁଢ଼ା

୬.

ଉପନିବେଶ

୭.

ଗାଉନ୍‌

୮.

ଏତେ ନୀଳେ

୯.

ଜହ୍ନ ଅସ୍ତଗଲାବେଳେ

୧୦.

ପଶ୍ଚିମର ପଥେ ପଥେ

୧୧.

ଏକଦା ପୃଥିବୀ

୧୨.

ନୀଳ ପାହାଡ଼, ସବୁଜବନ

୧୩.

ଆବିଷ୍କାର

ପ୍ରାକ୍‌-ଉପନିବେଶ

୧୪.

ଆମେ ଯେଉଁମାନେ

୧୫.

ତୁମ ଗାଁ

୧୬.

ତଟିନୀର ସ୍ୱପ୍ନଭଙ୍ଗ

୧୭.

ଟିକି ବୋହୂଟି

୧୮.

ନୀଳପଠା, ଜଳା ଭୂଇଁ

୧୯.

ନିସ୍ତବ୍‌ଧ ପୁରୀ

୨୦.

ପ୍ରାନ୍ତର

୨୧.

ତନୁମାଝି

୨୨.

ଆଗନ୍ତୁକ

୨୩.

ପତଙ୍ଗର ଅଭିସାର

୨୪.

କହନା ଆଜି ଆଉ

ଉତ୍ତର-ଉପନିବେଶ

୨୫.

ପ୍ରତିଶ୍ରୁତି

୨୬.

ଅନ୍ୱେଷଣ

୨୭.

ସ୍ୱାତୀନାମ୍ନୀ ତାରାଯୋଗେ

୨୮.

ସମୁଦ୍ର ଏତେ ଯେ ନୀଳ

☆☆☆

 

 

 

 

 

 

 

 

 

 

 

 

ଉପନିବେଶ

 

ଅରଣ୍ୟର ତୃଣ ନେଇ

 

ଅରଣ୍ୟର ତୃଣ ନେଇ ସବୁଜ ଚଞ୍ଚୁରେ

ଅରଣ୍ୟର ପଥ ଛାଡ଼ି ଆସିବାର ଏ ଦୂର ପ୍ରାନ୍ତରେ,

ମାନେ କିଛି ହୁଏ ?

ବିହଂଗମରେ !

ଚୈତ୍ରର ନୃଶଂସ ତପ୍ତ ନୀଳାଗ୍ନି ଆକାଶ

ଅନ୍ତତ ଈଷତ୍‌ ଧାରା ବର୍ଷିବାର ଚମତ୍କାର ଭୁଲ୍‌

ଯଦ୍ୟପି ନ କରେ

ବହ୍ନିମାନ୍‌ କ୍ରୋଧାନ୍ଧ ଅରଣ୍ୟ

ଅନନ୍ତ ସବୁଜ ସୌଧ ଭସ୍ମ ଶେଷ କରି

କରିପାରେ ନିଜରେ ବିଦୀର୍ଣ୍ଣ

ଅଥଚ ପ୍ରାନ୍ତର— !

ଆଗ୍ନେୟ ପର୍ବତ ଭଳି ଯୁଗାନ୍ତର ହାହାକାର ନେଇ

ନିଜକୁ ବି ଜାଳିବାର ଯା’ର ତିଳେ ଅଧିକାର ନାଇଁ !

ଅରଣ୍ୟ ଅରଣ୍ୟ ଆଉ ପ୍ରାନ୍ତର ପ୍ରାନ୍ତର ।

ଅରଣ୍ୟ-ପ୍ରତୀକ ନେଇ ସବୁଜ ଚଞ୍ଚୁରେ

ଅରଣ୍ୟର ପଥଛାଡ଼ି ଆସିବାର ଏ ଦୂର ପ୍ରାନ୍ତରେ

ମାନେ କିଛି ହୁଏ ?

ବିହଙ୍ଗମରେ !

☆☆☆

 

ଶେଷ ବୃଷ୍ଟି

 

ଏ ବର୍ଷର ଶେଷ ବୃଷ୍ଟିଧାରା

କଥାଟିଏ କହିଗଲା; କଥାଟିଏ ଅତି ଅପାସୋରା ।

ରଜନୀ ଗଭୀର ଯେବେ, ଆକାଶର ଅନ୍ଧାର ହ୍ରଦରେ

ମୁକ୍ତାକାତି ମାଛସବୁ ସୀମାହୀନ ତାରା ଓ ନକ୍ଷତ୍ର

ଖେଳୁଥିଲେ, ବୁଡ଼ୁଥିଲେ, ଚନ୍ଦ୍ରମାର ପଦ୍ମଫୁଲ ଛୁଇଁ

ହଠାତ୍‌ ଆସିଲେ ସେବେ, ସେମାନେ ଏ ନିଜନ ପ୍ରହରେ ।

ହଠାତ୍‌ ଆସିଲେ ସେବେ ପବନର ଦୂରନ୍ତ ଘୋଡ଼ାରେ

ବର୍ଗୀ ଭଳି ମେଘସବୁ; ଟୁପ୍‌ ଟାପ୍‌ ଟାପୁର ଶବଦେ

ଚମକି ମୁଁ ଚାହିଁ ଦେଲି, କୃଷ୍ଣଚୂଡ଼ା ଗଛର ଚୂଡ଼ାରେ

ଚୂନା ଚୂନା ସ୍ୱପ୍ନ ଏତେ ! (ଇଏ କେବେ ବର୍ଗୀ ହୋଇପାରେ ?)

ଅନେକ ଦୂରରେ ନଈ, ଦୂରାନ୍ତରେ ନିର୍ଜନ ପାହାଡ଼

ମାଇଲ୍‌ ମାଇଲ୍‌ ତାର ଉପତ୍ୟକା; ନିଘଞ୍ଚ ଅରଣ୍ୟେ

ଅଛି ଏକ ମତ୍ତହାତୀ, ବର୍ଷା ହେଲେ ହୁଳହୁଳି ଦିଏ

ସବୁ କରେ ଏକାକାର, ନିଶାଚର ଏଇ ଶେଷ ଝଡ଼ ।

ସମୁଦ୍ର ପାଗଳ ହୁଏ, ଗର୍ଭବତୀ କଶାଫଳ ତରୁ

ବଜ୍ରାଘାତେ ଜଳିଯାଏ, କଦାଚିତ୍‌ ଶାନ୍ତ ଜନପଦ

ହାହାକାରେ ଭରିଯାଏ, ଏ ମେଘର କେଳା-କାହାଳୀରେ

ହଳାହଳ ଦୁହିଁ ଆସେ ମୃତ କେଉଁ ନଈର ଫଣାରୁ ।

ଅଥଚ ଏ ମେଘ କେବେ ସାମ୍ରାଜ୍ୟର ଲୋଭ ରଖେ ନାଇଁ

ଅଥଚ ଏ ଚଣ୍ଡାଶୋକ ଧର୍ମାଶୋକ କେବେ ହୁଏ ନାଇଁ

‘‘ଏତେ କଥା କିଆଁ ତେବେ ମେଘରୂପୀ ହେ ମହମ୍‌ବତୀ !

ନିଜର ବିକ୍ରମ ନିଜେ ଜଳି ଜଳି ଶେଷ ହେବା ପାଇଁ ?’’

ପ୍ରଶ୍ନକରି ଚାହିଁ ଦେଖେ, କୃଷ୍ଣଚୂଡ଼ା ସଜଳ ଶାଖାରେ

ଗୁଣ୍ଡୁଚି ଡେଉଁଚି ପୁଣି, ଆକାଶର ନୀଳ ସରୋବରେ

ମୁକ୍ତାକାତି ମାଛ ସବୁ ଫିଟ୍‌ଫାଟ୍‌; ସବୁଠାରୁ ମଜା,

ଅସୀମ ତନ୍ଦ୍ରାରେ ଜହ୍ନ ଢଳି ଯାଏ, ହସର ତନ୍ଦ୍ରାରେ ।

ଏତେ ଝଡ଼ ଏ ଆକାଶେ, ଏତେ ଝଡ଼ ପଲ୍ଲି ଓ ପ୍ରାନ୍ତରେ

ଏ ଝଡ଼େ ଉତ୍ତୀର୍ଣ୍ଣ ଜହ୍ନ ଏତେ ବୋଲି ଏତେ ହସିପାରେ !

ଏ ବର୍ଷର ଶେଷ ବୃଷ୍ଟି ଧାରା

ନ କହି ବି କହିଗଲା କଥାଟିଏ କେଡ଼େ ଅପାସୋରା !

☆☆☆

 

ହଳଦିଆ ଭାଲୁ

 

ବିଲାତ ଦେଶରେ ଏକ ହଳଦିଆ ଭାଲୁ

କହିପାରେ କଥା ଗୁଲୁ ଗୁଲୁ

ମୁଁ ଯଦି ଏ କଥା କହନ୍ତି

ମାନି ନେବ ଅବନୀ ମହାନ୍ତି ।

ଅବନୀ ମହାନ୍ତି ମୋର ଚାଲିଗଲା

ଇହଧାମ ଛାଡ଼ି

ଏକାଶୀ ବରଷ ବଞ୍ଚି, ନ ଜାଣି ସେ

କିସ ରେଳଗାଡ଼ି ।

ତୁମ ଭଳି ମହାଶୟ ପୃଥିବୀରେ ଦ୍ୱିତୀୟ ନାହାନ୍ତି !

ଅଥଚ ଶୁଣିଲେ ତୁମେ ହସି ଦେବ ଅବନୀ ମହାନ୍ତି !

ସେଦିନ ମୁଁ ଆନିକଟ୍‌ ଶେଷ ମଥାନରେ

ଆକାଶକୁ ଚାହିଁ ଦେଇ ଚନ୍ଦ୍ରମାକୁ କହିଲି ତୁଚ୍ଛାରେ

‘‘ଇନ୍ଦୋନେଶିୟାରେ ଅଛି ମାଇକିନା ଏକ

ନଅ ହାତ ଉଚ୍ଚ ସିଏ, ପାଞ୍ଚ ହାତ ବେଢ଼ ଚାରିପାଖ’’

ଜହ୍ନବୁଢ଼ୀ, ଏଡ଼ିକି ସେ ଓଲୁ

ନିଶ୍ଚିନ୍ତେ ବିଶ୍ୱାସ କରି ମେଘ ଡ଼େଇଁ ଚାଲେ ଗୁଲୁ ଗୁଲୁ ।

ଅବନୀ ମହାନ୍ତି ଶୁଣ, କିଛି ଗୁଣ ଥିଲେ ମୋ ହାତରେ

ଏଇ ଜହ୍ନବୁଢ଼ୀଟାକୁ ଛନ୍ଦିଥାନ୍ତି ତୁମରି ଗଳାରେ ।

☆☆☆

 

ଜହ୍ନ ଓ ନକ୍ଷତ୍ର ନେଇ ଶେଷ ଲେଖା

 

ସେଥର ଆକାଶ ଭରି ଏତେ ବେଶି ଜହ୍ନର ହୁଲ୍‌ସ୍ତୁଲ୍‌

ନକ୍ଷତ୍ର ନିହାରିକାର ସହସ୍ର ହସ

ଛାୟାପଥ ଉଜ୍ଜ୍ୱଳ, ଅଜସ୍ର

ହୃଦୟ ତୁମର ତୂଳାର କପୋତ ଭଳି

ହାଲୁକା, ଅଥଚ ଚପଳ ଉତ୍‌ଫୁଲ୍ଲ ଯଦି ହୁଏ

କିଏ ଦାୟୀ ? ତୁମେ, ନା ଇମିତି ଅନାଘ୍ରାତ

ଆଶ୍ଚର୍ଯ୍ୟ ରଜନୀ ?

ଇମିତି ନକ୍ଷତ୍ର ସବୁର ମଲ୍ଲି ବର୍ଷାତଳେ

ଆଶ୍ଚର୍ଯ୍ୟ ପୁଲକରେ ଭିଜି ଭିଜି ଭିଜି

ଚିତେଇ ନଈର କ୍ଷୀଣ ଉପତ୍ୟକା ଡେଇଁ

ମୁଁ ବୁଲି ଚାଲିଥିଲି

ଏବଂ ସେଇ ମୁହୂର୍ତ୍ତରେ ବିଶ୍ୱାସ କରି ନେଉଥିଲି

ପାରିଜାତ ସତ୍ୟ, ଧୁନ୍ଦଲ୍‌ମୋଟି ଐରାବତ ସତ୍ୟ

କାରଣ କି ଚମତ୍କାର ରାତି !

ଏବଂ ଏଇ ମୃଦୁମନ୍ଦ ବିଶ୍ୱାସରେ କି ଚମତ୍କାର ଶାନ୍ତି !

ଏବଂ ହଠାତ୍‌—ଇମିତି କିଛି ଉଦ୍ଦେଶ୍ୟ ନେଇ ନୁହେଁ

(କାରଣ ଉଦ୍ଦେଶ୍ୟର ସମୟ ସେ ନୁହେଁ, ଏତେ ଭଲ)

ଚାଲୁଁ ଚାଲୁଁ ଆକାଶକୁ ଚାହିଁ,

ହଠାତ୍‌ ମୁଁ ପ୍ରଶ୍ନ କରି ଦେଲି,—

‘‘ହେ ଚନ୍ଦ୍ର ! ହେ ନକ୍ଷତ୍ର ସମସ୍ତେ !

କୁହ ତ’

ମୋତେ ତୁମେ କ୍ଷମା କରି ପାର ?

ମନେକର ଦୋଷ ନାହିଁ, ଅପରାଧ ନାହିଁ

କେବଳ ମୁଁ ଚାହେଁ ବୋଲି

ଖାଲି ଖାଲି ତୁମେ ମୋତେ—

ଅଜସ୍ର ସୌରଭ ଢାଳି, ଅନନ୍ତ ସମୁଦ୍ର ଭଳି

ସ୍ନିଗ୍‌ଧ ତୁମ ଶୀତଳ ଦ୍ୟୁତିରେ

ମଗ୍ନ କରିପାର ?

ଅଥବା ନ ହେଲେ

ଖାଲି ଟିକେ ମୃଦୁହସେ ସମ୍ମିତି ସୂଚାଇ

ଯିମିତି ବି ହେଲେ

ତୁଚ୍ଛାଟାରେ ତୁମେ ମୋତେ କ୍ଷମା କରି ପାର ?’’

ହାୟରେ ମୁହୂର୍ତ୍ତ !

କାହିଁକି ଏ ପ୍ରଶ୍ନ କଲି,

ହାୟ ମୁଁ କି କଲି !

ଚାହୁଁ ଚାହୁଁ, ସମଗ୍ର ଆକାଶ ବ୍ୟାପି

ସେ କି ବିପର୍ଯ୍ୟୟ !

ଗୋଟିଏ ମୁହୂର୍ତ୍ତେ,

ସମସ୍ତ ନକ୍ଷତ୍ର ଆସି ଠୁଳ ହେଲେ ଗୋଟିଏ ପ୍ରାନ୍ତରେ

ଏବଂ ତା’ପରେ

ରୁଣୁ ରୁଣୁ ଶବ୍ଦ କରି ଗୋଟି ପରେ ଗୋଟି

କାହିଁସବୁ ଲୁଚିଗଲେ, ହୋଇପାରେ ଚିତେଇ ଗର୍ଭରେ ।

ହତବାକ୍‌ ଦୃଷ୍ଟିନେଇ ଦେଖେଁ—

ଜହ୍ନ କ୍ରମେ ମ୍ରିୟମାଣ ଏକାନ୍ତ ପାଣ୍ଡୁର

ବିପୁଳ କ୍ରନ୍ଦନଭରା ମୁହଁ

କ୍ରନ୍ଦନରେ ଜୀର୍ଣ୍ଣ ହୋଇ ଚାହୁଁ ଚାହୁଁ

ସିଏ ବି ନିଶ୍ଚିହ୍ନ ।

ମୁଁ ଚିତ୍କାର କଲି—

ବିଦୀର୍ଣ୍ଣ ହୃଦୟର ସୁତୀକ୍ଷ୍‌ଣ କ୍ରନ୍ଦନ ମୋର

ଚରିଗଲା କହର କଳା ଆକାଶ ।

‘‘ହେ ଚନ୍ଦ୍ର ! ହେ ନକ୍ଷତ୍ର ସମସ୍ତେ !

ଫେରି ଆସ !’’

ଏତେ କ୍ରନ୍ଦନ ମୋର, ଏତେ କ୍ରନ୍ଦନ

ଆଜି ବି ବିଦୀର୍ଣ୍ଣ ହୁଏ ପ୍ରତ୍ୟେକ ରାତିରେ

‘‘ଜହ୍ନ ଆଉ ତାରାମାନେ ଚାଲି ଆସ

ପ୍ରଶ୍ନ ଥାଉ, ଉତ୍ତର ବି ଥାଉ ।

ଓଃ, ଅନ୍ଧାର ଅସହ୍ୟ !’’

ଆଜି ବି ଉତ୍ତର ନାହିଁ

ଆଜି ବି ନକ୍ଷତ୍ର ନାଇଁ, ଜହ୍ନ ନାଇଁ—

☆☆☆

 

ବୁଢ଼ା

 

ଏକାନ୍ତ ନିସ୍ତବ୍‌ଧ ରାତି, ଶୁଭ୍ର

ଆକାଶରେ ଦୂରଯାତ୍ରୀ ଜହ୍ନ

କଦାଚିତ୍‌ ବସ୍ତିର ଛକରେ

ନିଶାଚର ହୃଦୟର ଶବ୍ଦ ।

ଏତେ ମେଘ, ଧୂସର ଓ ଶୀର୍ଣ୍ଣ

ପୃଥିବୀର ଅବରୁଦ୍ଧ ସ୍ୱପ୍ନ

ଏତେବେଳେ ହୃଦୟରୁ ଖସି

ମାଖି ବୁଲେ ଜହ୍ନର ସୁବର୍ଣ୍ଣ ।

ଏକାନ୍ତ ନିର୍ଜନ ପଥେ ଜହ୍ନ

ଦୁଲ୍‌ ଦୁଲ୍‌ ଚାଲେ ପୁଣି ରହେ

ବଡ଼ କ୍ଲାନ୍ତ, ବୁକୁତଳେ ହୁହୁ

ଗୋପନୀୟ ପ୍ରଖର ମଧ୍ୟାହ୍ନ ।

ନିଶାର୍ଦ୍ଧରେ ପୃଥିବୀର ପଥେ

ଖୁକ୍‌ ଖୁକ୍‌ କାଶେ ଜଣେ ବୁଢ଼ା

ହାତେ ଅଠା, ସିନେମା ପୋଷ୍ଟର୍‌

ଆଖି ତଳେ ଜଣ୍ଡିସ୍‌ର ଧୁଧୁ

ଏତେ ରାତି, ଏତେ ଯେ ମଧ୍ୟାହ୍ନ

ହାୟ ବୁଢ଼ା, ହାୟ ମୋର ଜହ୍ନ !

 

‘‘ଭାରତୀୟ କବିତା’’ ସଂକଳନ (୧୯୫୬-୫୭)ର ଅନ୍ତର୍ଭୁକ୍ତି ପାଇଁ ଭାରତୀୟ ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱତ୍ୱ ସଂରକ୍ଷିତ ।

☆☆☆

 

ଉପନିବେଶ

 

ଏକଦା ଅତନ୍ଦ୍ର ନୀଳ ଆକାଶର ଅସୀମ ସ୍ନେହରେ

ସହସ୍ର ନକ୍ଷତ୍ରର ପହ୍ନା ଛୁଇଁ

ଯହିଁ ଗେହ୍ଲା ଜହ୍ନ ବିଚରଣ କରେ

ମୁଁ ଥରେ ଦେଖିଥିଲି, ଦଳେ ନାମ ନ ଜଣା ବିହଙ୍ଗ

ପରିକ୍ଲାନ୍ତ ପରରେ ସୁନା ଫଗୁର ସାନ୍ତ୍ୱନା ନେଇ

ହଠାତ୍‌ ମୁଠାଏ ହିମାଳ ହାବେଳୀ ଭଳି

ମିଳେଇ ଗଲେ ଦୂର ଦିଗନ୍ତର

ଆଶ୍ଚର୍ଯ୍ୟ ମୌନରେ ।

ନିସ୍ତରଙ୍ଗ ନିର୍ଜନ ଆକାଶରେ

ଅଚାନକ ଡେଣାର କମ୍ପନରେ ଈଷତ୍‌

ଚହଲି ଗଲା ଜହ୍ନ ।

ସେମାନଙ୍କ ହୁଇସିଲ୍‌ରେ

ଏକ ଅସତର୍କ ନିହାରିକାର ନୂପୁର

ଛିଟିକିଗଲା ଉଲ୍‌କାର ସ୍ଫୁଲିଙ୍ଗ ହୋଇ ।

ମନେ ହେଲା—

ସେଇ ଯାଯାବର ବିହଙ୍ଗର ଦଳ

ଅତି ପରିଚିତ

ସେମାନଙ୍କର ଆକୁଳ ଆଖି ପତାରେ

ଅନେକ ଗତାୟୁ ପୃଥିବୀର ତନ୍ଦ୍ରା,

କେତେ ଯେ ସମୁଦ୍ରମଗ୍ନ ପ୍ରବାଳ ଦ୍ୱୀପର ସ୍ୱପ୍ନ,

ଯଉଁଠି ଏକଦା—

ହିଂସ୍ର ଲହରୀର ଉଗ୍ର ଆଘାତରେ

ସେମାନଙ୍କ ଆଖିରେ ଫୁଟିଲା

ଲୁଣି ପାଣିର ସ୍ଥବିରତା ।

ସେମାନେ ଆଶ୍ରୟ ନେଲେ

ମାଡ଼ାଗାସ୍କାରର ଅରଣ୍ୟ ଦୁର୍ଗ ତଳେ,

ସେଠାରେ ମହକ- ମୁଗ୍‌ଧ ପବନର ଦରାଜ୍‌ ହୃଦୟରେ

ମାତାଲ ଡେଣା ମେଲି

ସମୁଦ୍ର ଶିଶିରର ଧୂଆଁଳି ଧାରାରେ

ପକ୍ଷ ଝିଲ୍‌ମିଲ୍‌ କରି

ନିଶ୍ଚିନ୍ତ ଉଦାସ ଯେବେ,

ଲବଙ୍ଗବନର ଗହନ ମଥାନରେ

ପ୍ରଭଞ୍ଜନର ସେ କି ଆଦିମ ଅଧୈର୍ଯ୍ୟ !

ସେମାନଙ୍କ ଦଗ୍‌ଧ ପକ୍ଷର ଆବରଣ ତଳେ

ନଷ୍ଟନୀଡ଼ର ଶିଶୁମାନଙ୍କ ଆଖିରେ

ଅସହ୍ୟ ଅବାକ୍‌ ଶୀତଳ ମୃତ୍ୟୁ !

ତା’ ପରେ—

ସାହାରାର ପ୍ରାଣହୀନ ପ୍ରାନ୍ତର ଉପରେ

ବାଲୁଝଡ଼ର ହାହାକାର,

ଫୁଜିୟାମାର କ୍ରୋଧାନ୍ଧ ଗଗନରେ

ପାତାଳ ବହ୍ନିର ଚକ୍ରାନ୍ତ,

ବ୍ୟାଧତୀରର ବିଷାକ୍ତ ଅଭିଜ୍ଞତା ନେଇ

ସେମାନେ ଅନନ୍ତ ଆକାଶର ତଟେ ତଟେ

ପରିକ୍ରମା କରିଛନ୍ତି ଆସମୁଦ୍ର ଧରିତ୍ରୀ

ଏକଦା ରାତିର ନିଷିଦ୍ଧ ପ୍ରହରରେ

ମଲ୍ଲିଜ୍ୟୋତ୍ସ୍ନାର ହୃଦୟରେ ଡେଣାର କମ୍ପନ ପିଟି

ଅଦୃଶ୍ୟ ହେଲେ ଯେଉଁ ସୁନାପକ୍ଷ ବିହଙ୍ଗର ଦଳ

ସେମାନେ ଅତି ପରିଚିତ—

ଆଜି ବି ଖୋଜି ଚାଲିଚନ୍ତି

ଶ୍ୟାମଳ ଗୁଳ୍ମଲତା ତଟିନୀର ଏକ ଶାନ୍ତମୟ ଉପନିବେଶ ।

☆☆☆

 

ଗାଉନ୍‌

 

ଏବଂ ତା ପରେ

ଚନ୍ଦ୍ରମାର ଷ୍ଟାମ୍ପ୍‌ ଦିଆ ରାତିର ଖାମ୍‌ରେ

ବିଚରା ସୂର୍ଯ୍ୟର ଲେଖା ଦିନକର ଚିଠି

ଉଲ୍‌କା ଭଳି ଛୁଟି ଚାଲେ ଅବ୍ଦୁଦ ମାଇଲ୍‌

ସ୍ୱପ୍ନଭିଜା ଯୁଗ ଆଉ ସମୟର ମିଥ୍ୟା କାଟି କାଟି

ସମୟର ପରପାରେ,

ବିଧାତାର କସ୍ମିଶ୍ଚିଦ୍‌ ‘‘ମୃତ ପତ୍ରାଗାରେ’’

ସେତେବେଳେ—

ଟପି ଟପି ନକ୍ଷତ୍ରର ମାଇଲ୍‌ ନିଶାଣ

ଭାସି ବୁଲେ କଦାଚିତ୍‌ ଫାକାସିଆ ମେଘ

ଯିମିତି ଜଣେ ମୃତଦାର

ଆଉଁସେ ସ୍ମୃତିର ବିନ୍ଦୁ ବିନ୍ଦୁ ବିଦଗ୍‌ଧ

ଅନୁଭୂତିର ଦାଗ ।

ଧୂମାଳ ଅରଣ୍ୟ ତଟେ ହାଇମାରେ କୋକୀ

ସିଆ କାଟି ନାଗଛାଡ଼େ କାତି

ଏବଂ ଆଖି ଦଳେ ସୁବ୍ରତ ମହାନ୍ତି ।

ଏତେବେଳେ ଝରକାରେ ଚାହିଁ ଦେଖେ ସୁବ୍ରତ ମହାନ୍ତି

ଆକାଶର ଦୁଧିଆଳ ନେଳି ନେଳି ତାତି

ଆହା ମୋର ଗେହ୍ଲା ଜହ୍ନ କାହିଁକି ବିଷଣ୍ଣ

ଫିକା ତାର ଚହଟ ସୁବର୍ଣ୍ଣ !

ଏଇ ଜହ୍ନ !

ଆଶ୍ଚର୍ଯ୍ୟ ଉଦାସ ଢାଳି ଥରେ ଥରେ କରି ଦିଏ

ହୃଦୟ ବିଦୀର୍ଣ୍ଣ !

ଏବଂ ସେ ବିଦୀର୍ଣ୍ଣର ଅଛି ଏକ ଭୟଙ୍କର ମୋହ

କାରଣ ତା’ ମନେ କରି ଦିଏ

କେତୋଟି ଜାଜ୍ଜ୍ୱଲ୍ୟମାନ, ଯଦିଓ ବା ଫିକା ଫିକା ମୁହଁ ।

ପ୍ରଥମତଃ ମନେ କର ଡଲି ସାମନ୍ତରା

କି ଚପଳ ! ଯିମିତି ଏକ ନାଚନ୍ତ ଘାଘ୍‌ରା !

ଅଥବା କୁମାରୀ ଫ୍ରିଡ଼ା ଦାସ

ସାଂଘାତିକ ପ୍ରେମିକ ଅଥଚ ଏମ୍‌. ଏ. ଫାଷ୍ଟକ୍ଳାସ, —

ମାତୃତ୍ୱର ଆସ୍ୱାଦନେ ମରିଗଲା ଆହା

ଯଉଁ ଉଦାସ ଶାଣିତା ଝିଅ କୁମୁଦିନୀ ସାହା ।

ତା’ ଛଡ଼ା ବିନୋଦ, ରବି, ହୟଗ୍ରୀବ ସ୍ୱାଇଁ

ହୟଟା ଏମ୍‌.ଏଲ୍‌.ଏ., ବାକି କେତେ ଗଲେ କାହିଁ

ଏଇ କଳା କଳା ଗାଉନ୍‌ର ଫିକା ଗ୍ରୁପ୍‌ଫୋଟୋ

କେତେ ସ୍ମୃତି, କେତେ କଥା, ହସ ଆଉ କୋହ

ଆହା ! ଜିତେ ରହୋ !

ଚାଳିଶ ବର୍ଷର କ୍ଳର୍କ ସୁବ୍ରତ ମହାନ୍ତି

ନିଶାର୍ଦ୍ଧରେ ଫଟୋଟିକୁ ଗେଲ କରେ,

ଚୁମାଦିଏ—

ଏବଂ ତା’ ପରେ—

ଅଠର ବରଷ ପରେ ହଠାତ୍‌ ସେ ଆବିଷ୍କାର କରେ

କେବେଠୁଁ ମଲାଣି କାହିଁ ଗ୍ରାଜୁଏଟ୍‌ ସୁବ୍ରତ ମହାନ୍ତି

ଏବେ ଖାଲି ସିଏ ଏକ ନିର୍ଜୀବ ଗାଉନ୍‌

ଗୋଟାଏ ଗାଉନ୍‌ ଘୋଡ଼ି କେତେ ଛାତ୍ର ଡିଗ୍ରୀ ନେଲା ପରି

ତା’ ଭିତରୁ ଟୁନୁ, ମୁନୁ, ଚୁନିର ଉଦ୍ଭବ

ହତବାକ ସୁବ୍ରତର ଆଖି ଡବ ଡବ ।

କାନ୍ଦିବ କି ? ଗାଉନ୍‌ ବା କାନ୍ଦିପାରେ କେବେ !

ହଠାତ୍‌ ସେ ଫୋଟୋଟିକୁ ଜାକି ଧରେ

ଚୁମା ଦିଏ ସ୍ୱପ୍ନସ୍ନାତ ଟୁନୁ, ମୁନୁ, ଚୁନିର କପାଳେ

ଏବଂ ତା’ପରେ,

‘‘ହଇକିଓ ! ଟିକେ ଘୁଞ୍ଚ, ଜାଗା ଦିଅ’’

ସୁବ୍ରତ ମହାନ୍ତି ବି. ଏ. କହେ ଅତି ଧୀରେ ।

☆☆☆

 

ଏତେ ନୀଳେ

 

ସ୍ୱପ୍ନ ଭଳି ହଜିଗଲା ଛୋଟ ଏକ ବିହଙ୍ଗମ ଦଳ

ବାଦଲର ବାଦାମୀ ବୁଦାରେ

ସ୍ୱପ୍ନମୟ ବାଦାମୀ ବୁଦାରେ

ଥରେ ଥରେ ଏ ଆକାଶ ନୀଳହୁଏ, ଏତେ ବେଶି ନୀଳ ।

ଅସହ୍ୟ ନୀଳରେ ତାର

ଫିକା କରି ହୃଦୟର ସାତଗୋଟି ସମୁଦ୍ର ଉଦ୍‌ବେଳ ।

ଚନ୍ଦ୍ରମାର ନିଆଁ ଭଳି

ହେ ତୁହୀନ୍‌-ଦୀପ୍ତିର ତନୟା !

ଏଇ ମୋର ହୃଦୟର ସୀମାହୀନ ବିଦୀର୍ଣ୍ଣ ନୀଳରେ

ତୁମେ ଥରେ ଜୀର୍ଣ୍ଣ ହୋଇ ଯାଅ

ଦିନ ଆଉ ନିଶୀଥର ଏଇ ଉପକୂଳେ

ଯିମିତି ଅନେକ ତାରା, ନିହାରୀକା, ନକ୍ଷତ୍ର ଆଗ୍ନେୟ

ଆରାମ୍‌ରେ ମିଶିଯାଇ ପାରେ

ପ୍ରଶାନ୍ତ ଏ ଆକାଶର ନିର୍ବୋଧ ନୀଳରେ !

☆☆☆

 

ଜହ୍ନ ଅସ୍ତ ଗଲାବେଳେ

 

ମିଛୁଟାରେ କାନ୍ଦିକାଟି ସାରାମୁହେଁ ସିନ୍ଦୂର ଭସାଇ

ଅବଶେଷେ ଫୁଲାମୁହୀଁ ଗେହ୍ଲା ବୋହୁଟିଏ

ଜାକିଜୁକି ଆଖିବୁଜି ଶୋଇଗଲା ଭଳି

ଜହ୍ନ ଡୁବିଗଲା ।

କିସଟିଏ ହଜିଗଲା ଆରେ !

ଏତେବେଳେ ମିଛୁଟାରେ ବୁଲୁଁ ବୁଲୁଁ

ଅପନ୍ତରା, ଈଷତ୍‌ ବନସ୍ତ—

ଏତେବେଳେ ନିଜନ ରାତିରେ—

ଏଠାରୁ ମାଇଲେ ଦୂରେ ଅଛି ଏକ ମ୍ରିୟମାଣ ନଈ

ନିଦାରୁଣ ଗରମରେ ଥରେ ତହିଁ ଫୁଟିଥିଲା କଇଁ

ତିନୋଟି ନୀଳାଭ କୁନି କଇଁ ।

ଇମିତି ରାତିରେ ଥରେ ଘୋଟି ଆସୁ ଗୁରୁ ଗରଜନେ

ଅନେକ ଦୂରର ନୀଳବନ ଏବଂ ପର୍ବତ ଗହନେ

ଘମା ଘୋଟ ଝଡ଼—

ଏବଂ ସେଥିରେ,

ଅପୂର୍ବ ସ୍ପନ୍ଦନ ଆସୁ ବାୟାଣୀ ସେ ନଈର ଛାତିରେ ।

ଶତ ଶତ ନକ୍ଷତ୍ରର ହେମାଳ ନିଶ୍ୱାସ

ଦେହରେ ଚହଟି ମୋର ଚରିଯାଏ ହୃଦୟ ସମଗ୍ର

ଫେରି ଯିବି ଘରେ,

ଛୁଆ ଛୁଆ ବେଣା, କିଆ, କଅଁଳ କାକର ଧୁଆ ଘାସ

ଟପି ଟପି ଚାଲିଯିବା ପରେ

ମୋଟେ କି ପଡ଼ିବ ମନେ, ଠିକ୍‌ ଜହ୍ନ ଅସ୍ତ ଗଲାବେଳେ

କିସଟିଏ ହଜିଗଲା,

କିସଟିଏ ଛାଡ଼ିଗଲି ଆରେ !

☆☆☆

 

ପଶ୍ଚିମର ପଥେ ପଥେ

 

ପଶ୍ଚିମର ପଥ ଧରି ବହୁଦୂର ବହୁଦୂର ଗଲେ

ଅଛି ଏକ ଜନପଦ, ଜନପଥ ଅଥଚ ନିର୍ଜନ

ଅଜସ୍ର ମୌସୁମୀ ତହିଁ ଢେଉ ଖାଏ,

ଅଜସ୍ର ଚନ୍ଦ୍ରମା ।

ପଶ୍ଚିମର ପଥ ଯାଇ ଦୂରେ ମ୍ରିୟମାଣ ଅତି

ତା ପରେ ପ୍ରଚୁର ଶିଳା, ଗୁଳ୍ମ, ଆଉ କସ୍ମିଶ୍ଚିଦ୍‌ ତଟିନୀର ଆଭା

ଅପର୍ଯ୍ୟାପ୍ତ ଦିନ ଆଗେ କଳା ନୀଳ ଊର୍ମିର ଗଭା

ସେ ତଟିନୀ ଭରିଥିଲା ।

ପଶ୍ଚିମର ପଥ ଧରି, ପାର ହେଲେ ବର୍ଣ୍ଣିତ ଏ ସବୁ

ସ୍ତିମିତ ପଥର ରେଖା ଠାଏ ଠାଏ ଏବେ ବି ଚିହ୍ନିତ

ଅଙ୍କରାତି ବୁଦା, ବଣ, କଦାଚିତ ନିର୍ଜନ ଶାଳ୍ମଳୀ

କୌଣସି ବିହଙ୍ଗ ନାଇଁ, ମୁହୁର୍ମୁହୁଃ ଅଥଚ କାକଳି ।

ଦିନ ନାହିଁ, ଜହ୍ନ ସେଠି ଅସ୍ତଗାମୀ ପ୍ରାୟ ହୁଏ ନାହିଁ

ଅନନ୍ତ ସମୟ ଧରି ଆକାଶର ଡାୟାଲ୍‌ ଦିହରେ

ନକ୍ଷତ୍ରର ଏକ, ଦୁଇ, ଲକ୍ଷ କୋଟି ଅଙ୍କ ଛୁଇଁ ଛୁଇଁ

ସେକେଣ୍ଡ୍‌ କଣ୍ଟାଟି ଭଳି ଜହ୍ନ ତହିଁ ଅସୀମ ଆଗ୍ରହୀ ।

ସେ ଏକ ଆଶ୍ଚର୍ଯ୍ୟ ପଲ୍ଲି, ସ୍ନିଗ୍‌ଧ ଆଉ ନିଶ୍ଚୁପ, ନିର୍ଜନ

ସଦାବେଳେ ସୁଉ ସୁଉ ବତାସର ବେହେଲା-ଗୁଞ୍ଜନ ।

କୌଣସି ବିହଙ୍ଗ ନାଇଁ ମୁହୁର୍ମୁହୁଃ ଅଥଚ କାକଳି

ଏମନ୍ତ ସେ ପଲ୍ଲି ପାଇଁ ଦୁର୍ନିବାର ଆକାଙ୍‌କ୍ଷାରେ ଜଳି

ଦିନ ରାତି ଚାଲି ଚାଲି ସେ ଘୁମନ୍ତ ନିଶୀଥର ଦେଶେ

ଯଦି ତୁମେ ଯିବ କେବେ—ତା ପୂର୍ବରୁ ଏ ମୋର ଡାଏରୀ ।

ସେ ଦେଶରେ ଅଛି ଏକ ସାତରଙ୍ଗୀ ତନ୍ଦ୍ରାର ନିର୍ଝର

ସାରା ପରିବେଶ ଭରି ଦୃଶ୍ୟହୀନ ନିମନ୍ତ୍ରଣ ତାର

ରୋକି ତୁମେ ପାରିବ ନି, ଅତଏବ ଅବଗାହି ତହିଁ

ଉତ୍ତୀର୍ଣ୍ଣ ହୋଇବ ଯେବେ ସୁନା ନିଭ ଶାନ୍ତ ଉପକୂଳେ—

ପ୍ରଥମ ମୁହୂର୍ତ୍ତ କେତେ, ପ୍ରତ୍ୟୁଷର ଶିଶିର ଯିମିତି

ପ୍ରଥମ ରଶ୍ମିରେ, ଠିକ୍‌ ଅନାଘ୍ରାତ ସିମିତି ଉଷୁମେ

ଶେଷ ହେବ, ଏବଂ ତା ପରେ—

ବିସ୍ମୟ ବିମୂଢ଼ ହେବ ନିଜେ ତୁମେ, ନିଜ ଆବିଷ୍କାରେ ।

ଆରବ୍ୟ ରଜନୀ ଭଳି କୁତୂହଳୀ ପ୍ରଚ୍ଛନ୍ନ କୌଶଳେ

ଅନ୍ତର୍ହିତ ହୋଇଥିବ ମୁହୂର୍ତ୍ତର ସେ ଅବଗାହନେ

ସମସ୍ତ ତୁମର ତୃଷ୍ଣା—

ତୃଷ୍ଣାହୀନ, ତୃଷ୍ଣାହୀନ ଜୀବନ ତାପରେ,

ତୃଷ୍ଣା ନାଇଁ ପ୍ରେମ ପାଇଁ, ତନ୍ଦ୍ରା ପାଇଁ, କିଛି ପାଇଁ, ତୃଷ୍ଣାର ତୃଷ୍ଣାରେ

ଝଡ଼ର ବିହଙ୍ଗ ଭଳି ଛଟ ପଟ, ପୋଷେ ହେବ ତୃଷ୍ଣା ପାଇଁ,

ବିଦଗ୍‌ଧ ତୃଷ୍ଣାରେ ।

ଏବଂ ତା ପରେ—

‘କୌଣସି ବିହଙ୍ଗ ନାଇଁ, ଅଥଚ କାକଳି’

ଏମନ୍ତ ପଲ୍ଲିଟି ଛାଡ଼ି, ଫେରିବାର ପଥେ

ପୁଣି ସେଇ ଗୁଳ୍ମଲତା, ଅପନ୍ତରା ଏବଂ ଶାଳ୍ମଳୀ ।

☆☆☆

 

ଏକଦା ପୃଥିବୀ

 

ଗଭୀର ନିଶିଥେ ଯେବେ ପୃଥିବୀର ନିଶବଦ ଛାତି

ଛାତିର ସ୍ପନ୍ଦନ ଟିକ ଚାହେଁ ମଧ୍ୟ ରଖିବାକୁ ଚାପି

ଏକାନ୍ତ ଏକଣା ମୋର ଚାଳଘର ଧୂସର ମଥାନେ

ଚିଲଟିଏ ରହିଥିଲା ସାରାକ୍ଷଣ ବସି ଏକମନେ ।

ଆକାଶେ ଫେସନ୍‌ବାଜ୍‌ ଜହ୍ନ ଥିଲା, ମେଘର ରୁମାଲେ—

ଥର ଥର ମୁହଁ ମାଜି ହସୁଥିଲା ଧୂମ୍ରାଭ ରହସ୍ୟ

ସାରି ସାରି ନାରିକେଳ ମୁକ୍ତାମୟ ଶୀତଳ ଶୀରଷେ

ଅସମ୍ଭବ ସ୍ୱପ୍ନାବେଶ, ନୀରବର କୁହୁକ ପରଶେ ।

ଉପରେ ଅନନ୍ତ ନୀଳ ଆକାଶର ଇନ୍ଦ୍ରଜାଲ ତଳେ

କେଳାର ନାଗୁଣୀ ଭଳି ଶୋଇଥିଲା ମାଟିର ଧରଣୀ

ବସି ରହେ ଚିଲଟିଏ ଚାଳଘର ଧୂସର ମଥାନେ

ପୃଥିବୀ, ଆକାଶ ଆଉ ହୃଦୟର ଅନ୍ଧାର ଗହନେ ।

ଅନେକ ଅନେକ ଯୁଗ ଉଡ଼ିଗଲା ଚୂର୍ଣ୍ଣୀଭୂତ ହୋଇ

ସୂର୍ଯ୍ୟ ଆଉ ପୃଥିବୀର ଅହରହ ନିର୍ମମ ଘୂର୍ଣ୍ଣନେ

ସେ ସବୁର ଧୂଳିକଣା, ଅବଶେଷ କେଣେ ନାହିଁ ମିଳେ

ଯାଦୁଘରେ, ଅଥବା ଏ ଆକାଶର ଅସୀମ ଗହ୍ୱରେ ।

ଏକଦା ପୃଥିବୀ ଥିଲା ହତବମ୍ବ ଅତୀବ ଚକିତ

ଉତ୍ତାଳ ସମୁଦ୍ର ଆଉ ଗିରିମାଳା ଆଗ୍ନେୟ ମୁଖର

ସର୍ବୋପରି ଥିଲା ଏକ ଅନାଘ୍ରାତ ନୀରବତା ଘୋଟି

ଆଶ୍ଚର୍ଯ୍ୟ ନୟନ ମେଲି ପ୍ରାଗୈତିକ ଜନ୍ତୁ କେତେଗୋଟି ।

ଇମିତି ରାତିରେ ଯେବେ ପୃଥିବୀର ଆକୁଳ ହୃଦୟ

ନିଜ ହୃଦ-ଯାଦୁଘରେ ଖୋଜିବୁଲେ ସେହିସବୁ ଦିନ

ଆଉ କିଛି ମିଳେନାହିଁ, କେବଳ ଏ ସ୍ଥବୀର ନିର୍ବାକ—

ଚିଲଟିଏ; ସେହିସବୁ ତନ୍ଦ୍ରାଶୀଳ ଯୁଗର ପ୍ରତୀକ ।

☆☆☆

 

ନୀଳ ପାହାଡ଼ ସବୁଜ ବନ

 

ଏ ପଥରେ ପଥଚଲା ଆହା କେତେ ଭଲ

ମୃଦୁ ମୃଦୁ ବତାସର ବେଦୁଇନ୍‌ ଛୁଆଁ

ପେଶଳ ପଳାଶ ଡାଳେ ମଦଭଳି ନିଆଁ

ଦୂବର ବିନୀତ ପୁନାଦି, ଏବଂ

ଝରା ଫୁଲ ପଶା ଚଉତାନା

ଏବଂ ପ୍ରାୟଶଃ ଶ୍ରାବଣେ

ଭରା ମେଘର ରସାଳ ପହ୍ନା ।

ଝିଅ ମେଘ ପୁଅ ମେଘ ଢାଇଖାଏ; ଫିକ୍‌ କିନା ହସେ

ଆଞ୍ଜୁଳେ ବିଜୁଳି !

ସାରୁଗଛେ ଶୀତଫୁଲା ଅବାକ୍‌ ଗୁଣ୍ଡୁଚି,

ତାର ଗୁଗୁପାଞ୍ଚି ଖେଳ—

ଇଏ କେତେ ଭଲ !

ତା ଛଡ଼ା, ଧୂଉ, ଧୂ ବାଲି, ନଈ ପଠା

ଚେନା ଚେନା ପାଣି

ଘୁଙ୍ଗୁରର ତାନ ଭଳି

ଅନର୍ଗଳ ମୃଦୁମନ୍ଦ ବାଣୀ

ତରଳ ବାଉଁଶ ବଣ,

ତା’ର ପରସ୍ପର ଝିଲମିଲ୍‌ ଅଜସ୍ର କାହାଣୀ ।

ଏ ନଈର ନୀଳ ଉପତ୍ୟକା

ଏତେ ଦୂରୁ ଦେଖାଯାଏ ପୁଳା ପୁଳା ଫିକା

ମେଷ ପଲ ପଲ

ଛତୁ ଭଳି ଛତା ତଳେ ପାଉଁଶିଆ ପଲଜଗା ଟୋକା

କଦାଚିତ୍‍ ଚାରଣର ସୁର

କଦାଚିତ୍‌ ବଇଁଶୀର ଈଷତ୍ ଲହର

ଚାଉଁକିନା ଛୁଇଁ ଦିଏ କୁନି ଏକ ହୃଦୟର ତାର

ନଈ ପାରି ବାଂଲୋର ଜଗୁଆଳି ଘରେ

ଉଦାସିଆ ଦ୍ୱଦଶୀ କନ୍ୟାର ।

ଗତସନ ଶ୍ରାବଣର ଭିଜା ଭିଜା ପୁନେଇ ତିଥିରେ

ନାଆ ଏକ ଯାଇଥିଲା ଏଇ ତୀରେ ତୀରେ

ଫୁଲ ଭଳି ଅବଲୀଳ ହସ

ତାକୁ ଚାହିଁ ହସିଥିଲା ସେ ଯେଉଁ ପିଲାଟି

ଇଏ ତାର ଡାକ ?

ଆଉ ଯେ ଫେରିବ ନାଇଁ......

ଆଉ ଯେ ଫେରିବେ ନାଇଁ

କେତେ ନାଆ ଏଇ ନଈ ଜଳେ

ଲୁଚିଗଲେ ଦୂର ପଥେ କଷା ଫଳ ବଣର ଉଢ଼ାଳେ

ତହିଁ ସୂର୍ଯ୍ୟ ଅସ୍ତଯାଏ

ତା ତନୁର ସୁନାରୁଆ ଫଗୁ

ଚିକ୍‌ ଚିକ୍‌ ଭଉଁରୀରେ ନାଚି ନାଚି

ଭିଜି ଭିଜି ଯାଏ—

ତହିଁ ନୀଳ ପାହାଡ଼ର ଛାଇ

ଝାଉଁ ବଣେ ଏକସୁରା ଥଣ୍ଡା ସାଇଁ ସାଇଁ

ତା ପରେ ସେ ଅଗ୍ନାଅଗ୍ନି ବନସ୍ତର

କେତେ ଯେ ରହସ୍ୟ

କେତେ ଗୋପନୀୟ !

ପ୍ରେମଭଳି ପ୍ରିୟ

ଏକାନ୍ତ ନିଜସ୍ୱ ସବୁ କୋହଭଳି

ଏକାନ୍ତ ଉଦାସ ବେନି ଆଖିର ସଙ୍ଗୀତ ଭଳି

ନିଶା ଅଛି

ଏଇ ଧୂଳି ଧୂସର ପଥରେ

ଯଦିଓ ବା କେବେ କେବେ କୃଷ୍ଣ ନିଶୀଥରେ

କସ୍ମିଶ୍ଚିଦ୍‌ ଖ୍ୟାତିବାନ୍‌ କାନକଟା ଭାଲୁ

ମହୁଲର ଗନ୍ଧ ବାରି ଘୂରିବୁଲେ ପ୍ରଚ୍ଛନ୍ନ ଅଦୂରେ

ସପରିବାରରେ

ଏଇ ଦୂର ନୀଳ ଉପତ୍ୟକା

ଦୂର ସୀମାରେଖା

ତା ପରେ ପ୍ରାନ୍ତର ଧୂ ଧୂ......

ହୁଏତ ବା ବହୁଦିନ ତଳେ

କା ଆଖିରେ ନୀଳ ନଈ ଉଛୁଳାଇ

ଛୁଟିଥିଲା ଢେଉ

ନରମ ନରମ ସବୁ ଘାସର ଗାଲରେ

ସ୍ମୃତି ତାର ଚିକ୍‌ ମିକ୍‌ କରେ

ଶୁକତାରା-ହୀରା

ନିଶିଥିନୀ ଫିକା ପଡ଼ିଗଲେ ।

ଏଇ ଶୁକତାରା

ଦିନ ଆଉ ନିଶୀଥର ସୀମା ତଟେ

ଏକାନ୍ତ ଏକାକୀ

ଏକାନ୍ତ ନିଜସ୍ୱ

ଏବଂ ଏ ପ୍ରାନ୍ତର........

ନଗର ବା ଜନପଦ ସଂଜ୍ଞାର ବାହାରେ

ପ୍ରଶ୍ନହୀନ ଗୋଟିଏ ଉତ୍ତର ।

☆☆☆

 

 

 

 

 

 

 

 

 

 

 

 

ପ୍ରାକ୍‌-ଉପନିବେଶ

 

ଆବିଷ୍କାର

 

ଯେତେବେଳେ ଝଡ଼ଉଠେ, ଯେତେବେଳେ, ନିର୍ଜନ ରାତିରେ,

ଅତିମତ୍ତ ସମୁଦ୍ରର ଭୟାବହ ଗର୍ଜନ ସାଥିରେ

କାନ ଡେରି ଶୁଣେ ମୁହିଁ ସମୁଦ୍ରର ତୀବ୍ର ଏକ ସୁର

ପ୍ରତିଥର; ଭାବେ, ଇଏ ବଡ଼ ଏକ ଆଶ୍ଚର୍ଯ୍ୟ ବ୍ୟାପାର !

କେବେ କେବେ ଦୂରାନ୍ତର ସମୁଦ୍ର ଓ ମେଘର ସଙ୍ଗମ

ଘନ ଘନ ବିଦ୍ୟୁତ୍‌ର ସ୍ଫୁରଣରେ ହେଲେ ଦ୍ୟୁତିମାନ

ଦେଖେ ମୁହିଁ ପଲକରେ, ଆବେଗ ଓ ଗଭୀର ବିସ୍ମୟେ

ଏକାକୀ ନାବିକଟିଏ ବିପର୍ଯ୍ୟସ୍ତ ଦୂର ଦିଗ୍‌ବଳୟେ ।

ଏକାକୀ ନାବିକଟିଏ ଯୁଦ୍ଧକରେ ପ୍ରଭଞ୍ଜନ ସାଥେ

ପ୍ରବଳ ପ୍ରମତ୍ତ ନୀରେ କାତ ପିଟି ଦୁର୍ନିବାର ହାତେ

ଯେତେବେଳେ ଝଡ଼ ଉଠେ, ଯେତେବେଳେ ନିର୍ଜନ ରାତିରେ,

ବିଦ୍ୟୁତ୍‌ର ସମାରୋହେ ଏ ଦୃଶ୍ୟ ମୁଁ ଦେଖେ ବାରେ ବାରେ ।

ତା’ପରେ ଏକଦା ମୁହିଁ ଜ୍ୟୋତ୍ସ୍ନାସ୍ମାତ ଗଭୀର ରାତିରେ

ବୁଲୁଁ ବୁଲୁଁ ଇତସ୍ତତଃ, ନାଆ ନେଇ ସମୁଦ୍ର ଛାତିରେ

ଯେଉଁଠି ଲହରୀ ନାହିଁ, ପ୍ରଶାନ୍ତ ସେ ନୀର ଦରପଣେ

ଚମକି ଉଠିଲି ଦେଖି ମୋ ମୁଖର ପ୍ରତିବିମ୍ବ କ୍ଷଣେ !

କେତେ କେତେ ଝଡ଼ରାତେ ଯେଉଁ ମୁଖ ଦେଖିଛି ଚକିତେ

ସେ ମୁଖ ଚିହ୍ନିଲି ଶେଷେ ଜ୍ୟୋତ୍ସ୍ନାସ୍ମତ ଆଜିର ନିଶୀଥେ !

☆☆☆

 

ଆମେ ଯେଉଁମାନେ

 

ଆମେ ଯେଉଁମାନେ ଭରା ଜୁଆରରେ ପାନ୍‌ସୀ ଢାଳି

ଧୀବର ଦଳ,

ଆହୁଲା ଛନ୍ଦେ ଚମକାଇଦେଇ ଚତ୍ନାକର

ଖୋଜି ବୁଲୁଁ କାହିଁ ଶଙ୍ଖାସୁର;

ଆମେ ଯେଉଁମାନେ ପିଉଁ ରାତ୍ରିର ପିଆଲା ଭରି

ହିମ ଜ୍ୟୋତ୍ସ୍ନାର ସ୍ନିଗ୍‌ଧ ସୁରା

କଣ୍ଠସୁରେ—

ସ୍ୱପ୍ନ-ଶୟନୁଁ ଚମକାଇ ଦେଉଁ ତାରାର ଦଳେ;

ଆମେ ଯେଉଁମାନେ ପଥପ୍ରାନ୍ତରେ, ବେଳ ଅବେଳେ

ହଠାତ୍‌କିନା—

ଅଜଗର ଅହି ଗରଳବାହୀର ଧ୍ୱଂସ ଲାଗି

ପ୍ରଜ୍ଜ୍ୱଳ କରୁଁ ଜନ୍ମେଜୟର ବହ୍ନି ବାନା;

ଆମେ ଯେଉଁମାନେ ନଷ୍ଟନୀଡ଼ର ଭ୍ରଷ୍ଟଦଳ

ବିହଙ୍ଗମ—

ରୁକ୍ଷ ମେଘର ବକ୍ଷ ଦୁଆରେ ପକ୍ଷପିଟି

ସୃଷ୍ଟି କରିଛୁଁ ବୃଷ୍ଟି ଝଡ଼

ତୁମ ମର୍ମର ହର୍ମ୍ୟତଳର ବର୍ମ ଛାଡ଼ି

ପାସୋରି ତୁମର ମଞ୍ଜୁ ଆଖିର ଇଶାରା ଧାରା

ବଜ୍ର ବିଜୁଳି ନଗ୍ନ ଦେହେ

ଆମେ ଯେଉଁମାନେ ଜୀର୍ଣ୍ଣକରୁଁ ଏ ରାତ୍ରିସାରା;

ଚିହ୍ନିଚ କି ?

ରାତ୍ରିର ଦୁର୍ଗେ ଢଳିପଡ଼େ ଯେବେ ତୁମରି ଆଖି

ପୌର୍ଣ୍ଣ-ବାସର ଚନ୍ଦ୍ର ହୋଇ ଏ ଆକାଶ ଦେହେ

ପହରା ଦେଉଁ—

ନବ ସୂର୍ଯ୍ୟର ଉଦୟ ଯାଏ ।

 

ଉତ୍ତରବାଲେଶ୍ୱର ଅଞ୍ଚଳରେ ଯାହାକୁ ‘ପାନ୍‌ସୀ’ କୁହାଯାଏ, ତାହା ଏକ ଜାତୀୟ କ୍ଷୀପ୍ରଗତି ହାଲୁକା ନୌକା ।

☆☆☆

 

ତୁମ ଗାଁ

 

ସେଠାରେ ସାଗର ସିକ୍ତ ଦଳ ଦଳ ଚାଉଁରୀ ପବନେ

ଯୋଜନ ଯୋଜନ ପଥ ଦୂରାଗତ ଜହ୍ନର ଝରଣା ।

ମାଇଲ୍‌ ମାଇଲ୍‌ ଧରି ବିଲ ଭୂଇଁ, ଅନ୍ୟ ଦିଗେ ଶୂନ୍ୟ ବାଲୁଚର

ରାତିର କପୋତ ଭଳି ତୁମ ଗାଁ ତା’ଭିତରେ ଏକାନ୍ତ ସ୍ତିମିତ

ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ ।

ସେ କେତେ ଅନାଦି ଆଶା-ମଶାଲରେ ତନୁ ଚହଟାଇ

ଘାସର ପହଡ଼ ପରେ ଫେଣା ଫେଣା ମଉଡ଼ ଫୁଟାଇ

ନିର୍ଜନ ରାସ୍ତାର ଛକେ ରକ୍ତାରୁଣ କୃଷ୍ଣଚୂଡ଼ା ଯେଉଁ

ହୁଏ ତ ସେ ମୃଦୁ କେତେ କରିଥିବ ହୃଦ ସଚକିତ

ତୁମ ଗାଆ ମନେହେଲା ସତେ ଅବା ଅତି ପରିଚିତ ।

ପଶ୍ଚିମର ବନ୍ଦରରେ ସୂର୍ଯ୍ୟ ନୀଡ଼ ଖୋଜି ନେଲା ପରେ

ସେଠାକାର ଦିନକର ଅତିସଜ ସଂଜର ଶରତେ

ଆକାଶର ସରୋବରେ ନୀଳକଇଁ କେତେଟାକୁ ଚାହିଁ

ହଠାତ୍‌ ମୋ ମନେ ହେଲା, ତୁମ ଗାଁ ସତେ ଏକ ଭାସମାନ ତରୀ

ଅଥଚ ଯେଉଁଠୁ ଯାଏ, ସେଇଠାକୁ ଆସେ ପୁଣି ଫେରି !

ଧୂସର ବାଲୁର ପଥେ ଚାଲୁ ଚାଲୁ ମନେ ମୋ ହୋଇଚି

ସେ କେତେ ବିଗତ ସତ୍ତା କଥା କହେ ପ୍ରତିଟି ଅଣୁରେ

ଗୁଳ୍ମଲତା; ଇଟାମାଟି, ବିଗଳିତ ବାଦଲର ଦିହେ

ସେ କେତେ ବଂଶାନୁକ୍ରମେ ଆବେଗର ହିଲ୍ଲୋଳ ଅଙ୍କିତ

ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ ।

ଗୋଲାପି ଉଷାରେ ଆଉ ହରିତକୀ ଗୋଧୂଳିର ତୀରେ

ଧୂସର କରବୀ ରଙ୍ଗୀ ଧୂଉ ଧୂଉ ଦିନ ଦିପହରେ

ତିନିଗୋଟି ରାତ୍ରି ଆଉ ନୀଳ ନୀଳ ସଞ୍ଜର ଆସରେ

ଅଣାୟତ୍ତେ ଇଡ଼ିଗଲା କେବେ ହାୟ ମୁଠିଏ ମୁହୂର୍ତ୍ତ

ଅଥଚ ଆଜି ବି ସିଏ ମନେହୁଏ କେତେ ପରିଚିତ !

☆☆☆

 

ତଟିନୀର ସ୍ୱପ୍ନଭଙ୍ଗ

 

ତନ୍ଦ୍ରାଳସ ରୂପକଥାର ସେ କେଉଁ ଯୁଗରୁ

ଗିରିଗୁଳ୍ମର ଆଲିଙ୍ଗନ ଭିତରେ ଆତ୍ମଗୋପନ କରି

ବହମାନ ଥିଲା ଅଜ୍ଞାତନାମା ଏକ ତଟିନୀ ।

କେବଳ ଦିନେ ଦିନେ

ସ୍ନିଗ୍‌ଧ ତା’ର ହୃଦୟ ଦେଶରେ

ସ୍ଫୁରିତ ହେଉଥିଲା ପୁଲକର ବନ୍ୟା

ପାର୍ବତ୍ୟ ଗୋଧୂଳିର ରହସ୍ୟ ଭିତରେ

ଯେଉଁଦିନ ପୁଷ୍ପଚୟନ ପାଇଁ ଆସୁଥିଲେ

ସବାନ୍ଧବୀ ରୂପକଥାର ରାଜକନ୍ୟା ।

ଅଥବା—

ପାରିଧୀର ଘର୍ମସ୍ନାତ ପଥହରା ରାଜପୁତ୍ର

ପାନ କରୁଁ କରୁଁ ତା’ର ଆକଣ୍ଠ ଅମୃତ

ଆଚମ୍ବିତେ ଶୁଣୁଥିଲେ

ଲତାକୁଞ୍ଜ ଗହଳରୁ

କୁମାରୀ କଣ୍ଠର ସ୍ୱପ୍ନାତୁର ସଙ୍ଗୀତ ଧ୍ୱନି ।

ତଟିନୀ ତନୁର ପ୍ରତିଟି ଚପଳ ତରଙ୍ଗରେ

ଶିହରି ଉଠୁଥିଲା

ବହୁ ଅନାସ୍ୱାଦିତ ଅନୁଭୂତିର ଗୁଞ୍ଜନ

ଦିନ ପରେ ଦିନ—

ମାୟାନିଦ୍ରାଭିଭୂତା ଉପାଖ୍ୟାନର ତରୁଣୀ ଭଳି

ଆରଣ୍ୟ ଦୁର୍ଗରେ ସଂଜ୍ଞାହତା ଥିଲା

ବନ୍ଦିନୀ ତଟିନୀ

ଏକାନ୍ତ ମୃଦୁ ତା’ର କଲ୍ଲୋଳର ମୂର୍ଚ୍ଛନା

ବିହଙ୍ଗ ସବୁର ଅହରହ କଳକାକଳୀ ଭିତରେ

ମୂର୍ଚ୍ଛିତ ହୋଇ ରହିଥିଲା ।

ଆଉ—

ଏଇ ମାଟିର ପୃଥିବୀ

ଓ ସେହି ଅଜ୍ଞାତପୁରୀର ମର୍ମଦେଶ ଭିତରେ

ଯେପରି ଲକ୍ଷ ଯୋଜନର ଦୂରତ୍ୱ

ଗ୍ରହାନ୍ତରର ବ୍ୟବଧାନ !

କର୍ମମୁଖର ପ୍ରଭାତର ଆଘାତରେ

ପରାହତ ଶେଷରାତ୍ରିର ସ୍ୱପ୍ନଭଳି

ରୂପକଥାର ଯୁଗ ହୋଇଛି ଅପସୃତ ।

ସମୟର ଉଦ୍ଦାମ ସମୁଦ୍ରରେ

ଶତେକ ସଭ୍ୟତା ଓ ସାମ୍ରାଜ୍ୟ

ନିମଜ୍ଜିତ ।

ସେହି ସଂଗୁପ୍ତା ତଟିନୀର ଧାରା

କ୍ରମାଗତ ମଳିନ, ବିଷର୍ଣ୍ଣ,

ବିସ୍ମୃତିର ଅପମାନେ

ଅତି ଅବସନ୍ନ ।

ମନ୍ଦ ପବନର ହିଲ୍ଲୋଳରେ

ଥରେ ଥରେ

ଉତ୍କଣ୍ଠିତା ତଟିନୀର କମ୍ର ବିଚିମାଳା

ପାଷାଣ ପ୍ରାଚୀର ବୁକୁରେ ଜଣାଏ

ହତାଶାର ବିନମ୍ର ମିନତି

‘‘ଆଗୋ ! ମୁକ୍ତି ଦିଅ !

ନୀରବତୀ ତଟିନୀର ଏ ପୁଣି ପିପାସା—

ଅବରୁଦ୍ଧ ଆବେଗର ବିଷ୍ଫୋରଣ ପାଇଁ

ଅବସର !’’

ନିରୁତ୍ତର—

ପାହାଡ଼ର ରୁକ୍ଷ ପ୍ରତିଲିପି

ତଟିନୀର ବକ୍ଷତଳେ

ସୃଷ୍ଟିକରେ ନିର୍ବାକ ଆତଙ୍କ

ଶୋଇରହେ ଦୁଃଖିନୀ ତଟିନୀ ।

‘‘ହେ ଅନନ୍ତ ନିଦ୍ରା ! ଶାନ୍ତି ଦିଅ !’’

ଶାନ୍ତି ନାହିଁ—

କେବେ ଅବା ଚାନ୍ଦ୍ର ପକ୍ଷେ

ଚୋରା ଜ୍ୟୋତ୍ସ୍ନାର ହିରଣ୍ୟ ପ୍ରଦୀପ

ତଟିନୀର ସ୍ମୃତି ମନ୍ଥନ କରି

ସଞ୍ଚାର କରେ

ରୂପକଥାର ରୂପସୀତ୍ୱ ସ୍ୱପ୍ନ ।

ଶାନ୍ତି ନାହିଁ—

ଅତନ୍ଦ୍ର ବିହଙ୍ଗ ରାଜ୍ୟର ନିରତ ନିସ୍ୱନ

ଶାନ୍ତି ନାହିଁ—

ହେ ମୁକ୍ତି ! ହେ ଆଲୋକ !

ତା’ପରେ

ବହୁଦିନ ପରେ

ଦିନକର ଉଷା ।

ଶିଶିରସ୍ନାତ ଧରିତ୍ରୀ ଗାତ୍ରରେ

ବାଳରଶ୍ମିର ଉତ୍ତରୀୟ ।

ଗିରିମାଳାର ଏକ ପରେ ଏକ ସୋପାନ ଟପି

ଚକିତା ତଟିନୀର ଉପକଣ୍ଠରେ

ଶ୍ରୁତହେଲା ବହୁ ପଦଧ୍ୱନି ।

ସମବେତ ବହୁକଣ୍ଠର ବିପୁଳ ଉଲ୍ଲାସ—

ଶୀତଳ ସଲିଳର କ୍ଷୀଣ ଊର୍ମିତଳେ ତଳେ

ସୃଷ୍ଟି କଲା

ଉଦ୍‌ବେଗ ଓ ବିସ୍ମୟର ତଡ଼ିତ୍‌ ।

ଦୁର୍ବୋଧ୍ୟ ଏଇ ପ୍ରଚେଷ୍ଟା !

ଅନନୁଭୂତ ଏଇ ସ୍ପର୍ଶ !

ମୁଖରିତ ପ୍ରାଗୈତିକ ବନ

ଥର ଥର ଉତ୍ତୁଙ୍ଗ ଶିଖରୀ,

ଦିନ ପରେ ଦିନ ।

ବର୍ତ୍ତମାନର ଆହ୍ୱାନରେ ଅବା ମଞ୍ଜରିତ

ରୁଦ୍ଧବାକ୍‌ ଅତୀତର ସ୍ୱନ ।

ତା’ପରେ ନିମେଷେ—

ବିଚୂର୍ଣ୍ଣ ଗିରି ତୋରଣ ଉପର ଦେଇ

ବିହ୍ୱଳା ତଟିନୀର ଉତ୍ତାଳ ଲହରୀ

ଅବତରି ଆସେ—

ପାଦଦେଶର ବିସ୍ତୀର୍ଣ୍ଣ ନିଳୀମ ଶସ୍ୟର କେଦାରେ,

ଆଦିଗନ୍ତ ପ୍ରାନ୍ତରେ ପ୍ରାନ୍ତରେ ।

ଏକଦା ରୂପକଥାର ସ୍ୱପ୍ନମୟ ନିର୍ଝର !

ତୁମର ସ୍ୱପ୍ନଭଙ୍ଗରେ

ନୂତନ ଜୀବନର ସ୍ୱପ୍ନ !

ମୁକ୍ତିର ସ୍ୱପ୍ନ !!

☆☆☆

 

ଟିକି ବୋହୂଟି

 

ଟିକି ବୋହୂଟି ସେ ଲଜ୍ଜାବତୀ

ଜୁଡ଼ୁ ବୁଡ଼ୁ ହୋଇ ଚୁପ୍‍ଟି ଅତି

ଜହ୍ନରାତିର ବାଦଲ ଭଳି

ଗରଦ ଓଢ଼ଣା ପଡ଼ିଛି ଢଳି,

ବାଦଲ୍‌-ରାତିର ଜହ୍ନ ଭଳି

ଚନ୍ଦ୍ରବଦନ କମ୍ର କଳି

ଖୋଲେ ନା ଓଢ଼ଣା, କହେ ନା ଭାଷା

ନିହାତି ମାନିନୀ, ନିହାତି ରୁଷା

ନିହାତି ଜିଗର ଧରିଲେ ବସି

ଫିକ୍‌କିନା ହସି ବୋଲେ ହୁଉଁଟି

ଛୋଟ ବୋହୂଟି !

ଟିକି ବୋହୂଟି ସେ ଅଝଟ ଅତି

ଥରୁଟେ ମରମେ ଉଠିଲେ ତାତି

ଶ୍ରାବଣ ମେଘର ଗଗନ ସମ

ଝରାଇ ଦେବ କି ବଦନ-ବ୍ୟୋମ !

ସାରା ପରିବାର ମରମ ପୁରେ

ପାରିଛି ଆସନ ଯତନ ଭରେ

ସାରା ପରିବାର ନୟନମଣି

ତା’ ନୟନ ବେନି ହୀରାର ଖଣି

ତା’ ନୟନେ ସରୁ କଜଳ ଶୋଭା

କଅଳଁ କପାଳେ ଅବିର ଆଭା

ଆଣିଚି କି ସରୁ ଅଧର ତଟେ

ସବୁ ସରାଗର ମଧୁ ସାଉଁଟି

ଛୋଟ ବୋହୂଟି !

ଟିକି ବୋହୂଟି ସେ ନିହାତି କୁନି

ଏଇନେ ମୁଖରା, ଏଇନେ ତୁନି

ଏଇନେ ଯଦି ସେ ଧରିବ ହଟ

ତା’ ପାଇଁ ଆସିବ ବାନର ନାଟ

ଇଂଜିନ ଲଗା ଖେଲଣା ଗାଡ଼ି

ଲାଲ ଧଡ଼ିବାଲା ଝରଣା ଶାଢ଼ୀ

ତା ପାଇଁ ଆସିବ ଗାଢ଼ ଅଳତା

ନୀଳ ହଳଦିଆ କବରୀ-ଫିତା

କଟିରେ ଗୁଡ଼ାଇ ପଣତ କନା

ସଜାଇବ ତାର ଘର କରଣା

ଯେତେ ଯେ ଆଚ୍ଛା ଘରକରଣୀ

ତାହା ତୁଲେ ଯିବେ ସଭିଏଁ ହଟି

ଛୋଟ ବୋହୂଟି !

ଗୋଟିଏ ନାତିର ବକଟେ ବୋହୂ

ଯାହା ବା କହୁଚି କହୁ ସେ କହୁ

ଶଶୁର ନାହିଁ କି ଶାଶୁ ବି ନାହିଁ

ଜେଜେ-ଶଶୁରଟି ଯାଇଚି ରହି

ସେ ଜେଜେ-ଶଶୁର ଦାଢ଼ିଆ ବୁଢ଼ା

ଚର ପେଷି ଖାଲି ଯୋଡ଼ାକୁ ଯୋଡ଼ା

ବକଟେ ବୋଲି ତା’ ନାତିଟା ପାଇଁ

ଥାଳିରେ ବସାଇ ଆସିଚି ନେଇ

ଇମିତି ଲହୁଣୀ ପିତୁଳାଟାଏ

ପିତୁଳା ହେଲେ ବି କଥାଟି କହେ

ପିତୁଳା ହେଲେ ବି ପିତୁଳା ଗଢ଼େ

ଦିହ ସାରା ମାଖି କାଦୁଅ ମାଟି

ଟିକି ବୋହୂଟି !

ଟିକି ବୋହୂଟିର ତିନୋଟି ନାତି

ଗୋଟିକୁ ଗୋଟିଏ ଅଝଟ ଅତି

ବୁଢ଼ୀମା କାଖରେ, ମଥାରେ ଚଢ଼ି

ଚିରିଦିଏ ତାର ଫୁଲେରି ଶାଢ଼ୀ

ଟିକି ବୋହୂଟିର ଟିକିଏ ବର

ଦେଇଥିଲା ଥରେ କସି ପାହାର

କଅଁଳା ନାତିର ଉଷୁମ ଦିହେ

ଅଝରା ଲୁହର ଅସରା କୋହେ

ବୋହୂ ଭସାଇଲା ସାରାଟା ଘର

କାନମୋଡ଼ା ଶେଷେ ଖାଇଲା ବର,

ଯଉଁ ନାତି ପାଇଁ ମାମଲା ଏତେ

ପୁସି ବିଲେଇର ବଚ୍ଚା ସେ’ଟି

ଟିକି ବୋହୂଟି !

ଟିକି ବୋହୂଟିର ଉଠିଛି ମନ

ବହୁଦିନ ପରେ ଘନକୁ ଘନ

ଦୂର ନୀଳ-ବନ ପାହାଡ଼ ତଳି

ଆମ୍ର ଶାଖାର ସବୁଜ ଦୋଳି

ସରୁଆ ନଈର କହରା ପଠା

କାଶ-କୁସୁମର ହାସ୍ୟ ମିଠା

ସେଇ ନିଛାଟିଆ ଗାଆଁର ସୁର

ଦୋଳାଏ ବୋହୂର ମାନସପୁର

ବାପ ଘର ଯିବ କହୁଚି ବୋଉ

ଜେଜେ-ଶଶୁର ବି କହିଲେ ‘ଯାଉ’’

ଆସିଲା ସବାରି ବେହେରା ଚାରି

ଆହ୍ଲାଦେ କିବା ପଡ଼ିବ ଲୋଟି

ଟିକି ବୋହୂଟି !

ଟିକି ବୋହୂଟିର ଟିକିଏ ବର

ଅତି ମୁହଁଚୋରା, ଶାନ୍ତ ଧୀର

ପଢ଼ୁଥିଲା ନେଇ ଚାହାଳି ପାଠ

ଉଠିଲା ସବାରି, ଧରିଲା ହଟ

ବୋହୂ ସାଥେ ଯିବ ସବାରି ଚଢ଼ି

ସବୁରି ମୁହଁରେ ହସର ବଢ଼ି

ବୋହୂ ବି କହିଲା, ଯିବ ତା’ବର

ସଭିଏଁ ଅବାକ୍‌; କି ହରବର !

ବୁଝାଇଲେ କେତେ ଜେଜେ-ଶଶୁର

ବୋହୂ ଅବଶେଷେ ଛାଡ଼ି ଜିଗର

ଛଳ ଛଳ ଆଖି, କହିଲା ବରେ

ଆସିବ ସହଳ ଘରେ ଲେଉଟି

ଟିକି ବୋହୂଟି !

ଟିକି ବୋହୂଟି ସେ ଲଜ୍ଜାବତୀ

ଲଜ୍ଜା ବରଜି ଉଠିଚି ମାତି

କେତେ ସରାଗର ଜନମ ଗାଁଆ

କଦଳୀ ଭେଳାର ନରମ ନାଆ

ବହଳ ଦଳୁଆ ସେ ଜଳା ଭୂଇଁ

ଜଳା ଭୂଇଁ ନୀରେ ନେଳିଆ କଇଁ

ସୂର୍‍ଯ ଯେଉଁଠି ଅସ୍‍ତ ହୁଏ

ଦୂର ଶଇଳର ଧୂଆଁଳି ଦିହେ

ସାହି ସାଥି ସହ ଧୂଳିର ଘର

ଅତି ପରିଚିତ ବାସନା ତା’ର

ଗରିବ ଝିଅ ସେ ଆସିଚି ଫେରି

ଛାଡ଼ି ବଡ଼ଲୋକ ଶଶୁର କୋଠି

ଟିକି ବୋହୂଟି !

ଟିକି ବୋହୂଟି ସେ ପରଜାପତି

ଉଡ଼ିବୁଲେ ନିତି ରାତି ପାହାଁତି

ନୀଳ ନାଲି କଇଁ, ଟଗର ଫୁଲେ

କଅଁଳ ହାର ତା’ଗଳାରେ ଝୁଲେ

ହେଲାଣି ଏଥର ଫେରିବା ବେଳ

ଚାହିଁଥିବ ସାରା ଶଶୁର କୁଳ

ତା’ ବିନା ସେ କୁଳ ଅନ୍ଧକାର

ଆସିଲାଣି ଦୂତ ଥରକୁ ଥର

ଆଉ ମନେପଡ଼େ ନୟନ ଦୁଇ

ମନେ ପଡ଼ି ନିଏ ମରମ ଧୋଇ

କହି ଆସିଥିଲା ଆସିବା ବେଳେ

ବଡ଼ ସହଳ ସେ ଯିବ ଲେଉଟି

ଟିକି ବୋହୂଟି !

ଟିକି ବୋହୂଟି ସେ ଲଜ୍ଜାବତୀ

ଫେରିବାକୁ ଏବେ କଲାଣି ମତି

ହରଷ-ଉଦାସ ଲାଗୁଚି ମନ

ଆଉ ବାପଘରେ କେଇଟି ଦିନ

ସେଦିନ ସହଳ ଗୋଧୂଳି ବେଳ

ଫେରିଲା ଘରକୁ ଛିଡ଼ାଇ ଖେଳ

ଶଶୁରଘରୁ କେ ଆସିଚି ଲୋକ

ବାପ ମାଆ ତା’ର ହେଲେଣି ମୂକ

ସହସା ତା’ ଟିକି ପଣତ ଧରି

ସଭିଏଁ ଛାଡ଼ିଲେ ଆକୁଳେ ହୁରି

କିଛି ସେ ବୁଝେ ନା ରହିଚି ଚାହିଁ

ଫୁଲାଇ ଆକୁଳ ଆଖି ଦୁଇଟି

ଟିକି ବୋହୂଟି !

ଟିକି ବୋହୂଟି ସେ ଅବାକ୍‌ ଅତି

ଶୋଇନି ସେଦିନ ସାରାଟା ରାତି

ଉଷାର ଆଭାସ ଆସିଲା ଯେବେ

ତା’ଟିକି ଝାଉଁଳା ତନୁରୁ ସେବେ

ଅତି ସ୍ନେହମୟୀ ଜନନୀ ତା’ର

କାଢ଼ି ନେଲେ ଧୀରେ ସୁନାର ହାର

ଅତି ନାଲି ଯେବେ ଫୁଟିଲା ରବି

ତା ମଥାର ନାଲି ଗଲାଣି ଲିଭି

ସବୁରି ଅଶ୍ରୁ ସରିଲା ଯେବେ

ଅଶ୍ରୁ ଭସାଇ କହିଲା ସେବେ

ଚାହିଁଥିବ ତା’ର ଅଝଟ ସାଥି

ସେ ପରା ସହଳ ଯିବ ଲେଉଟି

ହାୟ ବୋହୂଟି !!

☆☆☆

 

ନୀଳପଠା, ଜଳାଭୂଇଁ

 

ଯେତେ ଦୂର ଦୃଷ୍ଟି

ସ୍ୱଚ୍ଛ, ଶାଣିତ ନୀଳ, ନୀଳ ଆଉ ଶୁଭ୍ର

ଆକାଶର ଅଭ୍ର

ଧୂମାଭ ଧୂଳି ଧୂଳି ଅବିରାମ ବୃଷ୍ଟି

ଥର ଥର ପତ୍ରେ

ବାରିଦର ମର୍ମର ଟପ୍‌ ଟପ୍‌ ଟପ୍‌

ପକ୍ଷୀଟି ଡେଣା ଝାଡ଼େ ଝପ୍‌, ଝପ୍‌ ଝପ୍‌ ।

ଛୋଟ ଏକ ପକ୍ଷୀ

ଥର ଥର ତରୁଲତା, ଚାରିଦିଗ ସ୍ତବ୍‌ଧ

ଗୁମ୍‌ ଗୁମ୍‌ ଶବ୍ଦ

ହାଉଆର ଦଂଶନେ ବୁଜି ଯାଏ ଆକ୍ଷି

ଆକାଶର ବକ୍ଷେ

କେତେଦୂର, କେତେଦୂର ସାଇଁ ସାଇଁ ସାଇଁ

ପକ୍ଷୀଟି ଆସିଅଛି ଅତି ଧଇଁ ସଇଁ ।

ବିଜୁଳିର ହାବେଳି

ବଜ୍ରର ଅହରହ ନିରାପୋଷ ଘୋଷଣା

ଝଞ୍ଜାର ଝରଣା

ଉତ୍ତରା ବାଉଳାର ଅଣଚାଶ କାହାଳୀ

ଦିଗରୁ ଦିଗନ୍ତ

ଶଙ୍କିତା ଧରଣୀ କି ମୂର୍ଚ୍ଛାହତା

ପକ୍ଷୀଟି, ନିମୀଳିତ ଚକ୍ଷୁପତା ।

ପକ୍ଷୀଟି ! ହାୟରେ !

ଗଗନ ତ ଗର୍ଜ୍ଜୁଚି ଗୁରୁ ଗୁରୁ କଣ୍ଠେ

ନଈ ଉପକଣ୍ଠେ

ମାଇଲ୍‌ ମାଇଲ୍‌ ଧରି ତରବୁଜ ଭୂଇଁରେ

କେହି ନାହିଁ, କେହି ନା—

ଭିଜା ଭିଜା ପତ୍ରର ମଡ୍ ମଡ୍ ମଡ୍

ମ୍ରିୟମାଣ ପକ୍ଷୀଟି, ଝଡ୍ ଝଡ୍ ଝଡ୍ ।

ଦିଗ୍‍ବଳ ଗହନେ

ଏ ମୁକାମ୍‌ ଜନପଦ, ଧାନଜମି ସେପାରେ

ଏକାନ୍ତ ସୁଦୂରେ

ଅଛି ଏକ ନୀଳପଠା କିଛି କିଛି ଗୋପନେ

ଅନାବାଦି ରାଜ୍ୟ—

ଅଧାଜଣା ନଈଟିଏ ଝର୍‌ ଝର୍‌ ଝର୍‌

ବାଆ ଆଉ ବାଲୁକଣା ସର୍‌ ସର୍‌ ସର୍‌

ଦିନ୍‌ ଦିନ୍‌ ସଞ୍ଜେ

ବୁଢ଼ା ବୁଢ଼ା ବରଗଛ କଥା କହେ ମୁଖରି

କିଚ୍‌ ମିଚ୍‌ ମିଚିରି

କଦାଚିତ୍‌ ସେଠାକାର ବଣ ବୁଦା କୁଞ୍ଜେ

ଶୁଣା ଯାଏ ସହସା

ଟ୍ରିଗାର୍ ଓ ବୁଲେଟର ସଟ୍‌ ସଟ୍‌ ସଟ୍‌

ତାହାପରେ, ଚିଁ ଚିଁ, ଡେଣା ଛଟ୍‌ ପଟ୍‌

ବର୍ଷା ତ ଥମି ନି

ଜଣାନାଇଁ, ବେଗ ତା’ର ବଢ଼ୁଚି ନା କମୁଚି

ଯାଉଚି ନା ଆଉଚି

ଅଥଚ ନିଶ୍ଚେ ରବି ବୁଡ଼େ ବୁଡ଼େ ହେବଣି

ମନେପଡ଼େ ଏ ବେଳେ

ନୀଳପଠା, ଜଳାଭୂଇଁ, ସେ ଯେ କେତେଦୂର

ନଈ ତନୁ ଏତେବେଳେ ଥିବ ଭର୍‌ ପୂର୍‌ ।

ପକ୍ଷୀଟି କି କଲା !

ହଠାତ୍‌ ରେଶମୀ ତନୁ ତୋଳି ଧରି ଆକାଶେ

ଭାସିଗଲା ବତାଶେ

ଟିକି ଟିକି ଡେଣା ଦୁଇ; ଘୂର୍ଣ୍ଣିର ଆହୁଲା

ଅବିରାମ ଗଗନେ

ବାଆର ବାଗୁଡ଼ି ଖେଳ ଡୁଉ ଡୁଉ ଡୁଉ

ବିଚଳିତ ନଈଜଳ ଘୁଉ ଘୁଉ ଘୁଉ

ଉଡ଼ିଗଲା ଚଢ଼େଇ

ତା’ ନୟନ ନୀଳକାଚେ ଜଳାଭୂଇଁ ସପନ

ଥିବ ତହିଁ ମଗନ

ପକ୍ଷିଣୀ, ଡେଣାତଳେ ଶାବକ ତା ଘୋଡ଼ାଇ

ମିନିଟିଏ ପୂର୍ବେ

ଡେଣା ଯହିଁ ଝାଡ଼ୁଥିଲା ଝପ୍‌ ଝପ୍‌ ଝପ୍‌

ଜଳକଣା ଗଳେ ସେଠି ଟପ୍‌ ଟପ୍‌ ଟପ୍‌ !

☆☆☆

 

ନିସ୍ତବ୍‌ଧ ପୁରୀ

 

ଷ୍ଟେସନ ଠାରୁ ଦୂର କୋଡ଼ିଏ କୋଶ

ଏଠି ମୁଁ ରହିଅଛି ଦୁଇଟି ମାସ

ବଜାର ନାହିଁ ଏଠି ସହର ନାହିଁ

ଅଢ଼େଇକୋଶ ଦୂର ହାଟଟି ଯହିଁ

ଧୂଉଧୂ କରେ ଖାଲି ପଡ଼ିଆ ବିଲ

ଫସଲ ନାହିଁ ଗତ ଦୁଇଟି ସାଲ

ଏଠାରେ ମେଲେରିଆ ପ୍ରତିଟି ଘରେ

ମରଣ ଜାଲ ସଦା ରଚନା କରେ

ଏଠାରେ ଯମପୁରୀ ତୋରଣ ଭାଙ୍ଗି

ମରଣ-ପଟୁଆର ରହିଛି ଲାଗି

ଏଠାରେ ଜାଳିବାକୁ ମଶାଣି ଜୁଇ

ନିୟତ ଆଉ କାର ଶକତି ନାହିଁ

ଏଠାରେ ଅନଟନ କାମୁଡ଼ି ମାଟି

ମଣିଷ ହାଡ଼ କୁଦେ ଘଢ଼େ ତା’ ଘାଟି

ଏଠାରେ କବିତା ମୋ’ ଯାଇଛି ମରି

ଏଠାରେ ଜଳିଛି ମୋ ସପନ-ପୁରୀ

ଏଠାରେ ନିଶବଦ ତିମିର ବୁକେ

କେତେ ଯେ କଥା-କଳି ମଉନେ ଶୁଖେ

ଦେଖି ନି ହସ ଏଠି ଶୁଣି ନି ଗାନ

ଶୁଣିଛି ଅହରହ ଶ୍ୱାପଦ-ସ୍ୱନ

ଏ ଦେଶେ ଫୁଟେ ଫୁଲ ଝରିବା ପାଇଁ

ମଳୟ ନାହିଁ ଏଠି, କୋକିଳ ନାହିଁ

ହେ ସଖା ! ଏଠି କେବେ ଯାଏ ନା ଦେଖା

ଉଚ୍ଛଳ ନୟନର ଇଶାରା ରେଖା

ଏଠାରେ ଆଦାମର ଆଦିମ ଡାକ

କେଜାଣେ କେଉଁ ଦିନୁ ହୋଇଛି ମୂକ ।

ଷ୍ଟେସନଠାରୁ ଦୂର କୋଡ଼ିଏ କୋଶ

ଏଠାରେ ରହିଛି ମୁଁ ଦୁଇଟି ମାସ

ଏଠାରେ ସରିଛି ମୋ କବିତା ଲେଖା

ଲିଭିଛି ବାଣୀ-ପୂଜା ପ୍ରଦୀପ ଶିଖା

ଭାବେଁ, ଏ ନିଶବଦ ନୀରବ ପୁରୀ

କି ଆଶା ବୁକେ ତା’ର ରଖିଛି ଧରି

ବହୁତ ଦୂରୁ ଶୁଣେ ସେ କାନ ପାତି

କାହାର ଆଗମନୀ ଦିବସ ରାତି !

☆☆☆

 

ପ୍ରାନ୍ତର

 

ଦିଗ୍‌ବଳୟର ତିମିର ରହସ୍ୟେ

ବିଲୀନ ଏକ ପ୍ରାନ୍ତର ।

ସେ ଯିମିତି ଏକ ଯୁଗାନ୍ତରର ହାହାକାର !

ନିଷ୍ଫଳ ଦଂଶନ ତା’ର

ଧାବମାନ ସୁଦୂର ଦିଗନ୍ତେ ।

ବୁକୁରେ ତା’ର ଏକ ନିର୍ଜୀବ ମହୀରୁହ

ପଲ୍ଲବହୀନ ଶାଖା ଓ ପ୍ରଶାଖା

ଊର୍ଦ୍ଧ୍ୱତରେ ତୋଳି

ଆକାଶକୁ ଦେଉଛି ତୀକ୍ଷ୍‌ଣ ଅଭିସମ୍ପାତ ।

କଦବା ହାବୁକାଏ ତବତ ବତାସ୍‌—

ସେ ଅବା ଓୟେସିସ୍‌ ସନ୍ଧାନୀ ଜଣେ

ମରୁଯାତ୍ରୀର ଦୀର୍ଘଶ୍ୱାସ ।

ସୀମାତୀତ ଆକାଶରେ ସାମାନ୍ୟ ମେଘ—

ଶୂନ୍ୟ ସମୁଦ୍ରରେ କୂଳଚ୍ୟୁତ ପାନ୍‌ସି ଭଳି

ଚେହେରାରେ ତା’ର ସନ୍ତ୍ରାସର ଦାଗ ।

ମୌନ ଏଇ ପ୍ରାନ୍ତର—

ମନେହୁଏ, ତା’ର କ୍ଷୁଧିତ ଅନ୍ତର

ସଂଗୋପନେ ଖୋଜେ କାର ସ୍ପର୍ଶ

ଆଉ

ହୁତାଶନେ ମରି ମରି

ଆଶାହତ, ବିଫଳ, ବିମର୍ଷ !

ପ୍ରାନ୍ତରର ଅନାବୃତ ବୁକୁରେ

ବୈଶାଖର ପ୍ରମତ୍ତ ପବନରେ

ନାଚି ଉଠେ ତପ୍ତ ବାଲୁଝଡ଼,

କେବେ ଅବା ଦୁର୍ନିବାର ହୁଏ

ଆଶାଳୀନ ଉଚ୍ଛ୍ୱଳ ଆଷାଢ଼ ।

କିନ୍ତୁ ଯେତେବେଳେ

ଫାଲ୍‌ଗୁନର ଆମନ୍ତ୍ରଣ

ଖୋଲିଦିଏ ଦେଶାନ୍ତରେ

ପ୍ରକୃତିର ଅବଗୁଣ୍ଠନ,

ତରୁଲତାର ତନୁ ଭରି ଉଛୁଳି ଉଠେ

ଶ୍ୟାମଳ ପ୍ରାଣୋଚ୍ଛ୍ୱାସ—

ବନେ ଉପବନେ ସ୍ମିତହସର ବିକାଶ

ଶତେକ ବିହଙ୍ଗ କଣ୍ଠେ

ଅନର୍ଗଳ ବାଚାଳତା—

ସେତେବେଳେ,

ଏକାନ୍ତ ବଞ୍ଚିତ ଏହି ପ୍ରାନ୍ତର

ହୁଏ ତ ବା ଆଖିବୁଜି ଦିଏ,

ହୁଏ ତ ବା ହୁଏ ସଂଜ୍ଞାହତା

ଧୁଉ ଧୁଉ ଛାତି ପରେ ତା’ର

ଅଖଣ୍ଡ ସ୍ତବ୍‌ଧତା ।

ଶୁକ୍ଳପକ୍ଷର ଜହ୍ନ ଯେତେବେଳେ

ଭାସି ଯାଉଁ ଯାଉଁ

ନକ୍ଷତ୍ରର ଉପବନରୁ କଟାକ୍ଷ କରେ,

ଉନ୍ମାଦିନୀ ପ୍ରାନ୍ତର ତାକୁ ଖତାଇ ହୁଏ

ଇତସ୍ତତଃ ଡାହାଣୀ ଆଲୁଅ ଜାଳି,

କେବେ କେବେ ଶବଦାହନର ନିଆଁ ହୁଳା ତୋଳି

ଭୟ ଦେଖାଏ ।

ଏଇ ପ୍ରାନ୍ତର—

ଯା’ର ଆଦିଗନ୍ତ ବିସ୍ତୃତିରେ

ତିଳେ ବି ନାହିଁ ଜୀବନର ଚିହ୍ନ,

ଅଥଚ ଥରେ ଥରେ ମନେହୁଏ,

ଆଉ ଅବାକ୍‌ ଲାଗେ

ଏ ଜୀବନଟା-ଇ ଅବା ଏକ ପ୍ରାନ୍ତର ।

ଛୋଟ ଏକ ଚଟିଘରେ ମୁଁ ବିଶ୍ରାମ ନିଏଁ

ଆଉ ଅପେକ୍ଷା କରେଁ ରାତ୍ରି ପ୍ରଭାତର ।

ପ୍ରାନ୍ତରର ଏକ ସୁଦୂର ତଟରେ

ତିମିରିତ ସବୁଜ ସୀମାନ୍ତେ

ଫୁଟିଦିଶେ ଏକ ଆଲୋକ ବିନ୍ଦୁ

ନୀଳପଦ୍ମ ଭଳି ।

ମୁଁ ସେଇ ନୀଳପଦ୍ମ ଦେଶର ଯାତ୍ରୀ ।

କ୍ଳାନ୍ତ ନୟନରେ ନଇଁ ଆସେ ତନ୍ଦ୍ରା ।

ହୁଏ ତ ସ୍ୱପ୍ନର ଇନ୍ଦ୍ରଜାଲ ଭିତରେ ଦେଖିବି,

ବହୁ ଅଚିତ୍ରିତ ରଙ୍ଗର ଇନ୍ଦ୍ରଧନୁ ।

ଏଇ ବିସ୍ତୃତ ପ୍ରାନ୍ତରର ସୀମା ଟପି

ଉଛୁଳି ଉଠିଛି ନବଜାତ ଶସ୍ୟ

ଆଉ ଏଇ ଯାଯାବର ଜୀବନର

ପ୍ରାନ୍ତର ଭରି

ସଫଳ ଆଶାର ଫସଲ !

☆☆☆

 

ତନୁମାଝି

 

ବଙ୍ଗୋପସାଗର ଜଳେ କାଲି ରାତି ଦୁଇଟାର ପରେ

ବହିଗଲା ଝଡ଼ ଏକ ଅମାବାସ୍ୟା ତିଥିର ଜୁଆରେ ।

ବିପର୍ଯ୍ୟସ୍ତ ବେଳା ତଟ, ଇତ୍‌ସ୍ତତ୍‌ ଛିନ୍ନ ଭୂଇଁ ଲଟା

ନିଛାଟିଆ ଝାଉଁଟିଏ ବାନ୍ଧିଥିଲା ସାଲୁ ବାଲୁ ଜଟା

ତା’ କବରୀ ପୁର ଚିରି ଛୁଟିଗଲା ଅଶ୍ୱାରୋହୀ ଝଡ଼

ବଜ୍ରାଘାତେ କାଟି କାଟି ଅମାବାସ୍ୟା ତିମିର-ନିଗଡ଼ ।

ଚାରିଦିଗେ ଘନଘଟା, ନିର୍ଘୋଷିତ ସାମୁଦ୍ରିକ ହସ

ପ୍ରମତ୍ତ ତରଙ୍ଗ ସବୁ କରୁଥିଲେ ଅବାକ୍‌ ଉଲ୍ଲାସ ।

କାଲି ରାତି ଦୁଇଟାର ପରେ—

ଅନେକ ଆଶ୍ଚର୍ଯ୍ୟ କଥା ଘଟିଗଲା ସମୁଦ୍ର ଗର୍ଭରେ ।

ଅନେକ ଆଶ୍ଚର୍ଯ୍ୟ ଜନ୍ତୁ, ଯେଉଁମାନେ ଇତିହାସ ତଳେ

ଫସିଲର ସତ୍ତା ରଖି ଲୁଚିଲେଣି ସାଗର ସଲିଳେ ।

ସାର ତାଳ ସମୁଦ୍ରର କୃଷ୍ଣ ଗାଢ଼ ମହଲ ଫଟାଇ

ଝଡ଼ର ଆସ୍ୱାଦ ପାଇ କାଲି ସବୁ ଉଠିଥିଲେ ଚେଇଁ ।

କାଲି ରାତି ଦେଖିଥିଲା ବହୁ କିଛି ଅବାକ୍‌ ଘଟଣା

ଆକାଶ, ସମୁଦ୍ର ଦୁଇ ହୋଇଥିଲେ ଦୁହେଁ ବାଟବଣା ।

ସାଗର କି ଚାହୁଁଥିଲା ନେବା ପାଇଁ ଗଗନର ସ୍ଥାନ

ଗଗନ କି ଚାହୁଁଥିଲା ସାଗରରେ ହେବାକୁ ବିଲୀନ ।

ଦିଗରୁ ଦିଗନ୍ତ ଧରି ରୀତିମତ ଏ ଯେଉଁ ପ୍ରଳୟ,

ଶାମୁକା ଓ ତିମି ମାଛ, ବନ୍ଦୀ ଯେତେ ତାରକାର ଦଳ,

ଭୀରୁ, ଭୀରୁ ସାକ୍ଷୀ ଥିଲେ; ଚିନ୍ତା ଆଉ ବିସ୍ମୟର ଭରେ

କାଲି ରାତି ଦୁଇଟାର ପରେ—

ତନୁମାଝି ଶୋଇଥିଲା ଭଙ୍ଗା ଏକ ତରଣୀ ଉଢ଼ାଳେ

ବୃହତ୍‌ ଶାମୁକା ଭଳି ବୁଡ଼ି ବୁଡ଼ି ସାରାଦିନ ଜଳେ ।

ଏଗାରଟା ରାତି ପରେ ଗିଳି ପେଟେ ଶୀତଳ ପଖାଳ

ସାଗର ଅତଳ ଚଷି, ଚଷୁଥିଲା ନିଜର ଅତଳ ।

ଉଷାର ଆଭାସ ଆଗୁଁ ଝଡ଼ ଯେବେ ଉଡ଼ିଗଲା ଦୂରେ

ବଙ୍ଗୋପସାଗର ଛାଡ଼ି ଦୂରାନ୍ତର ଆରବ ସାଗରେ,

ଉଠି ବସି ତନୁମାଝି ଦେହ ପୋଛି ଥରୁଟେ କହିଲା,

‘‘ଧୂତ୍ତେରେ ! କେତେବେଳେ ଚୁପ୍‌ଚାପ୍‌ ବର୍ଷା ହୋଇଗଲା ।’’

☆☆☆

 

ଆଗନ୍ତୁକ

 

ଆସିଚି ମୁଁ ଆଜି ଆସିଛି

କମ୍ରକାନନେ ମଉସୁମୀ ଆଣି ଫୁଟିଚି ।

ମୁଁ ଆରେ ଫୁଟିଚି ।

ବ୍ୟାଧ ଶରାଘାତେ ଆହତ କଣ୍ଠେ ତୁମର

ବୁହାଇବା ପାଇଁ ମନ୍ଦ୍ର ଗୀତିର ଜୁଆର

ସରସ ଭାଷାର ଉଷୁମ ଆବେଶ

ଉଲ୍ଲାସେ ଆଣି ଥୋଇଚି,

ମର୍ମର ବନ ଫୁଲ୍ଲ ମରମେ ସ୍ୱପ୍ନ-ପୁଲକ ଜଗାଇ,

ବଉଦର କୋଳେ ଚନ୍ଦ୍ରମା ସମ ଫୁଟିଚି

ମୁଁ ଆରେ ଫୁଟିଚି ।

ଅନ୍ତରେ ତୁମ କୋହ କ୍ରନ୍ଦନେ କୁହୁଳି

ଦରଫୁଟା ଯେଉଁ ମଲ୍ଲିଟି ଗଲା ମଉଳି

ତୁହିନ୍‌ ପୁରୀର ତୁଙ୍ଗ ଶିଖରେ ଅଶ୍ୱ ମୋ’ ଖରେ ଛୁଟାଇ

ଲୁଣ୍ଠିତ ତା’ର ଶୁଭ୍ରତାଟିକ ଆଣିଚିରେ ଆଜି ଫେରାଇ,

ଆଣିଚି ରେ ଆଜି ଆଣିଚି—

ହୁତାଶନ ତାପ-ଜର୍ଜର ଘନ ଖାଣ୍ଡବ ବନ ଗହନେ

ଯଉବନ ସମ ଫୁଟିଚି ମୁଁ ଆରେ ଫୁଟିଚି ।

ନିବିଡ଼ ତୁମର ପତା ପଲ୍ଲବ ଗହନେ

ସୁନେଲି ଯେ ଆଶା ମୂର୍ଚ୍ଛିତ ଆଜି ମଉନେ

ଇନ୍ଦ୍ରଧନୁର ଦୁର୍ଗତୋରଣେ ସନ୍ଧାନି ଧନୁ ତୁଣୀର

ଝରାଇବା ପାଇଁ ନୟନେ ତୁମର ଚନ୍ଦ୍ରାତୁହିନ ନିଝର

ଆସିଚି ମୁଁ ଆରେ ଆସିଚି

ମର୍ମର ବନ ଫୁଲ୍ଲ ମରମେ ସ୍ୱପ୍ନ-ପୁଲକ ଜଗାଇ

ବଉଦର କୋଳେ ଚନ୍ଦ୍ରମା ସମ ହସିଚି

ମୁଁ ଆଜି ହସିଚି ।

☆☆☆

 

ପତଙ୍ଗର ଅଭିସାର

 

ମନୋରମ ହର୍ମ୍ୟର ପ୍ରାଚୀର ଉପକଣ୍ଠରେ

ରମ୍ୟ ଏକ ଉଦ୍ୟାନ ।

ବର୍ଣ୍ଣଧନ୍ୟା ତା’ର ପରିବେଶ ଭିତରେ

ଅହରହ ମଧୁପାନ କରି ଉଡ଼ିବୁଲେ

(ଯିମିତି ଚଳମାନ ବିଚିତ୍ର ଫୁଲଟିଏ !)

ଏକ ରଙ୍ଗୀନ୍‌ ପ୍ରଜାପତି ।

ପ୍ରତ୍ୟହ ଉଷାରେ,

ନବ ନବ କୁସୁମର ସ୍ନିଗ୍‌ଧ ହିଲ୍ଲୋଳରେ

ଲୋଭାତୁର ପତଙ୍ଗର ପକ୍ଷରେ ପକ୍ଷରେ

ଖେଳିଯାଏ କ୍ଷୀପ୍ରଗତି ନର୍ତ୍ତକର ଛନ୍ଦ

ସଦ୍ୟସ୍ଫୁଟ ସମ୍ଭାର ବୁକୁରେ

ସେ ହୁଏ ନିମଗ୍ନ ।

ଏକଦା ବସନ୍ତର ଅନନ୍ୟ ସନ୍ଧ୍ୟାରେ

ସେ ହର୍ମ୍ୟର ବାତାୟନ ଗଲା ଖୋଲି ।

ପ୍ରଜାପତିର ଚମକିତ ଚକ୍ଷୁରେ

ଝଲସି ଉଠିଲା ଏକ ଅଭିନବ ପୁଷ୍ପର ପ୍ରଦୀପ୍ତି ।

ନିଜସ୍ୱ ଉଦ୍ୟାନର ପ୍ରତ୍ୟେକ ପୁଷ୍ପ

ଏଇ ନୂତନ ଆବିଷ୍କାର ଆଗରେ

ଦେଖାଗଲା ନିର୍ଜୀବ, ମ୍ଳାନ ।

ଅତଏବ ପ୍ରଜାପତି

ବାତାୟନ ଟପି, ଏକା ନିଃଶ୍ୱାସରେ

ପ୍ରମତ୍ତ ତନୁ ତା’ର ଓଜାଡ଼ି ଦେଲା

ସେଇ ପ୍ରଦୀପ୍ତ କୁସୁମର ଲେଲିହାନ ବୁକୁରେ ।

ଏକ ମୁହୂର୍ତ୍ତରେ—

ସେଇ ଦୀପଶିଖାର ଅଦୂରରେ

ଦଗ୍‌ଧପକ୍ଷ ପ୍ରଜାପତି

ଅଳ୍ପାୟୁ ଜୀବନର ଯାବତୀୟ

ବିସ୍ମୟ ଏକତ୍ର କରି

ସଞ୍ଚୟ କଲା ଯେଉଁ ଚରମ ଅଭିଜ୍ଞତା,

ତାହା ପ୍ରୟୋଗର ସୁଯୋଗ କିନ୍ତୁ

ଆଉ କେବେ ଆସିଲା ନାହିଁ ।

କେବଳ—

ନିକ୍ଷିପ୍ତ ରହିଲା ତାର କରୁଣ ଅବୟବ

ଭାବିକାଳର ବିମୁଗ୍‌ଧ ଆଗନ୍ତୁକ ପାଇଁ

ଏକ ସତର୍କ-ଲିପି ରୂପେ ।

☆☆☆

 

କହ ନା ଆଜି ଆଉ

 

କହ ନା କହ ନା ରେ ଆଜି ଏ ରଜନୀରେ

ସେ କଥା ତା’ରେ ଆଉ କହ ନା

ବଂଶୀ ସୁରେ ସୁରେ ସେ ସୁର-ବିଷ-ତୀରେ

ତା’ ମନ-ମଲ୍ଲିରେ ଦହ ନା ।

ଏସନ ବରଷାରେ ଏ ଘୋର କାଳ ରାତେ

କହ ତ ମୋତେ ବାରେ କେହି କି ନାଆ ପାତେ !

ସାଗରେ ଝଡ଼ ଯେଉଁ, ପାଗଳ କଳା ଢେଉ

କେଡ଼େ ତୁ ଅଝଟ ବା ! କେସନେ ତହିଁ ଯାଉ ?

ଏତେ ଯେ ଅନୁରୋଧ—

ଟିକିଏ ରହ ବାବୁ ରହ ନା !

ମାନି ତ ନାହୁଁ ଆରେ ବଂଶୀ ସୁରେ ସୁରେ

ତୋ’ କଥା ଆଜି ଆଉ କହ ନା,

ତା’ ମନ-ମଲ୍ଲିରେ ଦହ ନା ।

କେତେ ଯେ ବାରିଧାରା ଆକାଶୁ ଝରିଲାଣି

କେତେ ଯେ କଳାଢ଼େଉ ସାଗରେ ଭାଜିଲାଣି

କେତେ ଯେ ଅସୁମାରି ରଜନୀ ପାହିଲାଣି

ତୋ’ ସୁର ତଥାପି ତ ସରି ନି

ନୀରବ, ନିଛାଟିଆ ନିଶୂନ୍‌ ଜଳାଭୂଇଁ

ତା’ କୂଳେ ଏକାକିନୀ ମଉନେ ବସିରହି

ସିଏ ବି ଶୁଣିଚାଲେ ଅସରା ଲୁହ ଢାଳେ

ହାୟ୍‌ ରେ କେଡ଼େ ଅଭିମାନିନୀ !

ସାଗର ଶୁଖିଯାଏ ଜୀବନ ଯାଏ ଜଳି

ମରେ ନା ଏକା ତାର ମରମ ଆଶା-କଳି

ଅକଳା କାଳ ଧରି ଆଖିର ନୀର ଢାଳି

ସେ ତା’ରେ ସାଇତିଛି ସରମେ,

ଆଜି ଏ ଝଡ଼ରାତେ କିଏ ସେ କହେ ମୋତେ

ଇମିତି ଏକ ଝଡ଼ ଥମିଲେ ଦିନେ ସତେ

ଫୁଲ୍ଲ ପୁଲକିତ ହେବ ରେ ବିକଶିତ

ସେ କଳି ସୁରଭିତ କୁସୁମେ !

 

ଉପକଣ୍ଠବର୍ତ୍ତୀ ଅଞ୍ଚଳର ଏକ କିମ୍ବଦନ୍ତୀ-ଉଦ୍‍ଭୁତ କଳ୍ପନା କବିତାଟିର ଭିତ୍ତି । ସମୁଦ୍ରଗର୍ଭରେ ଷଡ଼ଯନ୍ତ୍ର ଲୁଣ୍ଠିତ କିଶୋରଟିର ବଂଶୀସ୍ୱନ କଦବା ନିର୍ଜନ ରାତିରେ ଉପକୂଳରେ ଶୁଣାଯାଏ; ସେ ବିନତି ଜଣାଏ ଚିରତରେ ଅପେକ୍ଷମାଣା ତାର ପ୍ରେମିକା ଉଦ୍ଦେଶ୍ୟରେ ।

☆☆☆

 

ପ୍ରତିଶ୍ରୁତି

 

ଅବରୁଦ୍ଧ ନଗରୀର ହେ ସମସ୍ତ ପ୍ରମତ୍ତ ପ୍ରହରୀ !

ବାରେ କର ଉନ୍ମୋଚିତ ପ୍ରାଚୀରର ପାଷାଣ ଅର୍ଗଳ

ଏଇ ସ୍ତବ୍‌ଧ ନିଶାର୍ଦ୍ଧର ସଂଗୋପନ-ଶୀତଳ ମୁହୂର୍ତ୍ତେ

ପଳାତକ, ଛୁଟିଯାଏଁ ଉଲ୍‌କା ସମ ତମିସ୍ରା ବିଦାରି ।

ଏତେବେଳେ ଆକାଶରେ ମେଘମାଳା ବଳୟିତ ଜହ୍ନ

ସେ ଯେହ୍ନେ ଏ ହୃଦୟର ବହୁ କିଛି ଅବ୍ୟକ୍ତ ବର୍ଣ୍ଣନା !

ସେ ଯେହ୍ନେ ଏ ବହୁସ୍ୱପ୍ନ-ଉଦ୍‌ବେଳିତ ଧରିତ୍ରୀର ଭାଲେ

ଅଦୃଷ୍ଟର ବରଦାନ, ପ୍ରତିଶ୍ରୁତି-ଉଜ୍ଜ୍ୱଳ ଚୁମ୍ବନ ।

ଅବରୁଦ୍ଧ ନଗରୀର ହେ ସମସ୍ତ ପ୍ରମତ୍ତ ପ୍ରହରୀ !

ଏତେବେଳେ ଅଦୂରର ଅରଣ୍ୟରେ ଅରାଜକ ସ୍ୱପ୍ନ

ମୋ ଯାଦୁ-ପରଶେ ତହିଁ ସମ୍ଭବିବ ସଂଗତିର ସେତୁ

ଶିଥିଳ-ବଳୟ କର ତୁମ ଧୃତି, ହେ ଅନ୍ଧ ଶର୍ବରୀ !

ମୁଁ ପୁଣି ଆସିବି ଫେରି, ସମୟର ଶୁଭ୍ର ବାଲୁଚରେ

ବାରି ବାରି ପଦଚିହ୍ନ, ଏ ବିସ୍ମୃତ ତିମିର-ଶିବିରେ

ବେନି କରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ

ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ପ୍ରଦାହ-ସଦନେ ।

☆☆☆

 

 

 

 

 

 

 

 

 

 

 

 

ଉତ୍ତର-ଉପନିବେଶ

 

ଅନ୍ୱେଷଣ

 

Mother India is not a piece of earth, she is a Power, a Godhead.

 

–Sri Aurobindo

 

ଆକୁମାରୀ ହିମାଚଳ ବହି ବହି ତୃଷିତ ହୃଦୟ

ଆକୁଳ ଆଖିରେ ମୋର ଦହି ଦହି ଦୂର ଦିଗ୍‌ବଳୟ

ଆସୁମାରି କାଳ ଧରି ତୁମରି ମୁଁ କରେଁ ଅନ୍ୱେଷଣ

ହେ ମୋର ଭାରତ ଆତ୍ମା ! ହେ ମୋ ସ୍ୱପ୍ନ, ହେ ମୋ ଜାଗରଣ !

ତୃଷାତୁର ହିମାଦ୍ରିର ହିମପାୟୀ ଶୁସୁଭ୍ର ଶିଖରେ

ତୁମୂଳ ତୁଷାରାପ୍ଳୁତ ଝଂଜା ରୂପେ ନିହଣି ନିଷ୍ଠୁରେ

ଏହି ଅନ୍ୱେଷଣେ ମୁଁ ବହମାନ ଯୁଗରୁ ଯୁଗାନ୍ତ-

ତୋଷି ପାର ତୃଷ୍ଣା ମୋର ? ହିମବନ୍ତ ହେ ମହାପ୍ରଶାନ୍ତ !

ପ୍ରଶମିବା ପାଇଁ ମୋର ହୃଦୟର ହୁତାଶ-ପ୍ରଦାହେ

କେବେ ଅବା କୁମାରିକା-ଉଦ୍‌ବେଳିତ ତରଙ୍ଗ-ପ୍ରବାହେ

ନିଜରେ ନିଃଶେଷ କରି ସୀମାହୀନ ସମୟ-ସୈକତେ

ଉଚ୍ଚାରିଚି ଏକ ପ୍ରଶ୍ନ, ଅବିରାମ ଏକ ହିଁ ଆଘାତେ ।

କେବେ ଅବା ଐତିହ୍ୟର ଝଲସିତ ଚାରୁ ଯାଦୁଘରେ

ବିହ୍ୱଳ ନୟନ ମୋର ନ୍ୟସ୍ତ ରଖି ଇନ୍ଦ୍ରଜାଲ ଘୋରେ

ସମ୍ରାଟର ସୁରକ୍ଷିତ କିରୀଟର ବୈଦୁର୍ଯ୍ୟ ନିକଷ

ହେ ମୋର ଭାରତ-ଆତ୍ମା, ତୁମରେ ମୁଁ ବୁଲିଛି ଅନ୍ୱେଷ ।

ସଭ୍ୟତାର ସମାରୋହେ, ମୁଖରିତ ପ୍ରାସାଦ-ପ୍ରାଙ୍ଗଣେ

ଅଥବା କପିଳବାସ୍ତୁ, ନାଳନ୍ଦାର ନିମଗ୍ନ-ସ୍ୱପନେ

କଦାଚିତ ପ୍ରଭାତ ବା ଦିନାନ୍ତର ଆଶ୍ଚର୍ଯ୍ୟ ଆକାଶେ

ବିମୁଗ୍‌ଧ ମୁଁ, ପ୍ରତାରିତ; ଅନୁସରି ବିହଙ୍ଗ-ପ୍ରୟାସେ ।

ଝଟିକା-ବିକ୍ଷୁବ୍‌ଧ କେଉଁ ତିମିରିତ ନିଷିଦ୍ଧ ନିଶାରେ

କସ୍ମିଶ୍ଚିଦ୍‌ ବାତାୟନେ ପ୍ରଜ୍ଜ୍ୱଳିତ ବିବର୍ଣ୍ଣ ଆଶାରେ

ଭଗ୍ନଜାନୁ କୁଟୀରର ରୁଗ୍‌ଣତନୁ କେତୋଟି ନୟନେ

ଅବଲୋକି ଭାବିଥିଲି, ତୁମେ ତହିଁ ଅନନ୍ତ ଶୟନେ !

ହେ ଭାରତ-ଆତ୍ମା ମୋର ! ଏହିପରି ଦିଗରୁ ଦିଗନ୍ତ

ତୁମ ଅନ୍ୱେଷଣେ ମୁହିଁ ଅବସନ୍ନ ଯୁଗରୁ ଯୁଗାନ୍ତ ।

ମେଘାକ୍ରାନ୍ତ ହୃଦୟର ଦିଗ୍‌ବଳୟେ ବିଦ୍ୟୁତ୍‌ର ଛଳ

ମୁହୂର୍ତ୍ତକ ପରେ ପୁଣି ଅନ୍ଧକାରେ କରିଛି ପ୍ରବଳ ।

ତା ପରେ ଅଜସ୍ର କାଳ ଚାପିରଖି ବ୍ୟର୍ଥତାର କୋହ

ହୃଦୟର ରୁଦ୍ଧଦ୍ୱାରେ ପିଟି ପିଟି ଶିର ଅହରହ

ନିଃଶବ୍ଦ ଚିତ୍କାରେ କେତେ ଥରାଇ ଏ ଅଥର୍ବ ସତ୍ତାରେ

ନିଃସଙ୍ଗ ମୁଁ ନିପତିତ ବିଦୀର୍ଣ୍ଣ ଏ ମାନସ-ପ୍ରାକାରେ ।

ବିଦୀର୍ଣ୍ଣ ପ୍ରାକାରେ ମୋର ଜାଣେ ନା ମୁଁ, ସେ କେଉଁ ନିମେଷେ ।

ସଞ୍ଚରିତ ସୂର୍ଯ୍ୟମୁଖୀ, ରହସ୍ୟର ସେ କି ବା ନିର୍ଦ୍ଦେଶେ

‘‘ନିଶାର୍ଦ୍ଧର ତନ୍ଦ୍ରାତୁରେ ! କରୁ ହାୟ ସୂର୍ଯ୍ୟର ଅନିଷା !’’

ହୃଦୟର ସୂର୍ଯ୍ୟମୁଖୀ ବ୍ୟକ୍ତ କଲା ଏ ଦୀପ୍ତ ବିଭାଷା ।

ଗୋଟିଏ ନିମିଷେ ମୋର ଏ ସତ୍ତାର ଅସୀମ ଗହ୍ୱରେ

ବିଚ୍ଛୁରିତ ରଶ୍ମି ଜାଲେ ଦେଖିଲି ମୁଁ ଏକାନ୍ତ ବିହ୍ୱଳେ

ଶସ୍ତ୍ର, ଶାସ୍ତ୍ର, ସଭ୍ୟତାର ଆସ୍ତରଣ ହାୟ ଶତ ଶତ

ଦୃଷ୍ଟିର ପ୍ରଦୀପେ ମୋର କରିଅଛି ତିମିର-ସ୍ତିମିତ !

ସେ କେତେ ନଗରୀ, ଗିରି, ନିର୍ଝରିଣୀ ବନସ୍ତ ସଘନ

ଯାହାର ରହସ୍ୟମୟ ପୁଣ୍ୟ-ତନୁ କରିଛି ଗଠନ

ଜାତି ଓ ପ୍ରଜାତି କେତେ, ମାନବତା ଅଣୁ ପରମାଣୁ—

ରୂପେ ଯା’ର ତୋଳିଅଛି ସୁଷମାର ସୀମାହୀନ ତନୁ—

ଦୁଷଦ୍‌ବତୀ ତୀରେ ଦିନେ ଉଠିଥିଲା ଯେ ମହା ଝଂକାର

ଯୁଗେ ଯୁଗେ ନବଜନ୍ମେ ଅନିର୍ବାଣ ସେହି ଭାଷା ଯାର

କୋଟି କୋଟି ସନ୍ତାନର ମୁଖେ ଯା’ର ମୁକତି ନିହିତ

ସଂସ୍କୃତିର ବୀଜକେନ୍ଦ୍ରେ ଆତ୍ମା ଯା’ର ଚିର ଜାଗରିତ—

ବିଖଣ୍ଡିତ ମାନସର ଭାବାକୁଳ ବିକଳ ନୟନେ

ସେ କାହୁଁ ପଡ଼ିବ ଧରା ଗବେଷଣାଗାର–ଅଧ୍ୟୟନେ ?

ଆକୁମାରି ହିମାଚଳ ପରିକ୍ରମା ହେଲେ ହେଁ ସମାପ୍ତ

ମୋ ସତ୍ତାର ଅନ୍ଧକାରେ ଭାରତର ଆତ୍ମା ଆବରିତ ।

☆☆☆

 

ସ୍ୱାତୀ ନାମ୍ନୀ ତାରା ଯୋଗେ

 

ସମୟ-ସମୁଦ୍ର ତୀରେ ସୀମାହୀନ ଶିଳା ଓ ସିକତା,

ତହିଁ ପରେ ଲେଖିଚାଲେ ଅହରହ କେତେ ଯେ କବିତା

ନିର୍ଜନ ଢେଉର କବି, ଆପଣାର ଆଶ୍ଚର୍ଯ୍ୟ ପୁଲକେ

ଆପଣାର ଅଭିମାନେ ଲିଭାଇ ତା ପଲକେ ପଲକେ ।

ହାୟ ! ସେ ବିଗତ କେଉଁ ସୂର୍ଯ୍ୟାସ୍ତର ସୁନାର ମହକେ

ଅବା, ଏକ ଚନ୍ଦ୍ରାବତୀ ରଜନୀର ଗୋପନ ଚମକେ

ଅଚାନକ ହୋଇଥିଲା ଝର ଝର ହୀରାର ସ୍ୟାହିରେ

ଯେ କବିତା ଲେଖା, ଆଉ ଛନ୍ଦ ତା’ର ମିଳିବ କାହିଁ ରେ !

କଦାଚିତ ରଜନୀରେ ଆସମୁଦ୍ର ଜନପଦ ଘୋଟି

ସ୍ୱାତୀ ନାମ୍ନୀ ତାରା ଯୋଗେ ବୃଷ୍ଟି ଯଦି ପଡ଼େ ଗୋଟି ଗୋଟି

ଅଗନାଅଗନି ଦୂର ବନସ୍ତରେ କଦବା ଚକିତେ

ଉଲ୍‌କା-ଗତି ମୃଗଟିଏ ଥମିଯାଏ; ସମୁଦ୍ର ସରିତେ ।

କଶ୍ଚିତ୍‌ ଶାମୁକା-ଗର୍ଭେ, ଦୂରାନ୍ତର ପର୍ବତ ଗହନେ

ନାଗକନ୍ୟା ଶିରୋପରି, ଜନ୍ମନିଏ ଅତି ସଂଗୋପନେ

କସ୍ତୁରୀ, ମୁକ୍ତା ଓ ମଣି । ସେତେବେଳେ ଜନନୀ ମୃତ୍ତିକା

ଜାଗରିତା ଥାଏ ଯଦି, ଗର୍ଭେ ତାର ସଞ୍ଚରଇ ଏକା ।

ମୃଗନାଭି, ଗଜମୁକ୍ତା, ଗୋରଚନା ଇତ୍ୟାଦି ସଦୃଶ

ସେ ଏକା ବିସ୍ମୟକର ଇତିହାସ, ଗୋପବନ୍ଧୁ ଦାସ !

 

*ଗୋପବନ୍ଧୁଙ୍କର ପଞ୍ଚତ୍ରିଂଶତ୍‌ ବାର୍ଷିକ ଶ୍ରାଦ୍ଧଦିବସ ଉପଲକ୍ଷେ, ଜୁନ୍‌ ୨୧, ୧୯୬୩ ବାର୍ଷିକ ସମାଜ ସକାଶେ ଲିଖିତ ହୋଇଥିଲା ।

☆☆☆

 

ସମୁଦ୍ର ଏତେ ଯେ ନୀଳ !

 

ସମୁଦ୍ର ଏତେ ଯେ ନୀଳ, ନୀଳତର ଆକାଶର ଠାଣି

ତଥାପି ମୋ ନୟନରେ ଦୁଇ ବିନ୍ଦୁ ସୁନୀଳ ଚାହାଣୀ

ଦେଲ ଯେବେ ଅନୁରାଗେ ହେ ମୋ ଶିଳ୍ପୀ ଏ ତନୁ ମନର

ତେବେ ତୁମ ସୃଜନର ଅନ୍ତହୀନ ଚାରୁ ଗନ୍ତାଘର

ଅନିମେଷେ ଅବଲୋକି ଆଦିଗନ୍ତ ଆଶ୍ଚର୍ଯ୍ୟ ପୁଲକେ

ବିଲୀନ ମୁଁ ହୁଏ ଯେହ୍ନେ ଅବିଶେଷେ ତୁମରି ପଲକେ !

ନିକ୍ୱଣିତ କଳତାନେ ବନେ ବନେ ଗହନେ ଗହନେ

ଝରଣାର ମର୍ମବାଣୀ, ବିହଙ୍ଗର ଉଚ୍ଛଳ କୂଜନେ

ସମୁଦ୍ର-ନିର୍ଘୋଷେ ପୁଣି, ହିମାଚଳେ ବାୟୁର ହିଲ୍ଲୋଳେ

କେତେ ଯେ ସ୍ଫୁରିତ ଭାଷା, ଅବିରତ ଅୟୁତ କଲ୍ଲୋଳେ–

ତଥାପି ମୋ କ୍ଷୀଣକଣ୍ଠେ ସ୍ଫୁରାଇଲ, ଆରୋପି ଦରୋଟି

ସଙ୍ଗୀତର ଇନ୍ଦ୍ରଧନୁ-ପୁଟେ ଯଦି କଥା-କଳି ଗୋଟି,

ଅପଲକେ ଅବଲୋକି ଅସ୍ତହୀନ ତୁମ ରୂପ-ରବି

ତୁମରି ବିଭୂତି ଯେହ୍ନେ ଭିତରେ ମୋ ଭାଷାର ସୁରଭି ।

Image